ଅଫ୍‌ଲାଇନ୍‌ରେ ହେବ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ପରୀକ୍ଷା: ହାଇବ୍ରିଡ୍‌ ମୋଡ୍ ବିକଳ୍ପ ଲାଗି ଆଦେଶ ଦେବାକୁ ସୁପ୍ରିମ୍‌କୋର୍ଟ ମନା କଲେ

ନୂଆଦିଲ୍ଲୀ: କେବଳ ଅଫ୍‌ଲାଇନ୍ ମୋଡ୍ ବଦଳରେ ହାଇବ୍ରିଡ୍ (ମିଶ୍ରିତ) ମୋଡ୍‌ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସିବିଏସ୍‌ଇ ଓ ସିଆଇଏସ୍‌ସିଇକୁ ଆଦେଶ ଦେବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ବର୍ତ୍ତମାନ ଅବସ୍ଥାରେ ପ୍ରକ୍ରିୟାରେ ବାଧା ଦେବା ଠିକ୍ ନୁହେଁ ବୋଲି କୋର୍ଟ କହିଥିଲେ।
ଜଷ୍ଟିସ୍ ଏଏମ୍ ଖାନ୍‌ୱିଲ୍‌କର ଓ ସିଟି ରବିକୁମାରଙ୍କ ଦ୍ବାରା ଗଠିତ ଖଣ୍ଡପୀଠକୁ ସିବିଏସ୍‌ଇ ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟା ଜଣାଇଥିଲେ ଯେ, ଅଫ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା କରାଇବା ପାଇଁ ସବୁ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି ଏବଂ ପରୀକ୍ଷା କେନ୍ଦ୍ର ସଂଖ୍ୟା ୬,୫୦୦ରୁ ୧୫,୦୦୦କୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ, ଛଅ ଜଣ ଛାତ୍ର କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ୧୦ମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା କେବଳ ଅଫ୍‌ଲାଇନ୍‌ରେ ନ କରାଇ ହାଇବ୍ରିଡ୍‌ (ମିଶ୍ରିତ) ମୋଡ୍‌ରେ କରାଇବା ଲାଗି ସିବିଏସ୍‌ଇ ଓ ସିଆଇଏସ୍‌ଇ ଏକ ସଂଶୋଧିତ ପରିପତ୍ର ଜାରି କରନ୍ତୁ ବୋଲି ଦାବି କରି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।

ଇତିମଧ୍ୟରେ ସିବିଏସ୍‌ଇର ଟର୍ମ ୧ ବୋର୍ଡ ପରୀକ୍ଷା ନଭେମ୍ବର ୧୬ରେ ଆରମ୍ଭ ହୋଇଥିବା ବେଳେ ସିଆଇଏସ୍‌ସିଇର ପ୍ରଥମ ସିମେଷ୍ଟାର ବୋର୍ଡ ପରୀକ୍ଷା ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି। ଖଣ୍ଡପୀଠ କହିଥିଲେ ଯେ, ସେମାନଙ୍କର ଆଶା ଓ ବିଶ୍ବାସ ମହାମାରୀ ନ ବ୍ୟାପିବା ଲାଗି କର୍ତ୍ତୃପକ୍ଷ ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବେ। ପରୀକ୍ଷା ଆରମ୍ଭ ହୋଇଯାଇଥିବାରୁ ଏ ଅବସ୍ଥାରେ ସେଥିରେ ହସ୍ତକ୍ଷେପ କରିବା ଉଚିତ ହେବନି ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର