ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ରର ଷ୍ଟାଟସ୍‌ ରିପୋର୍ଟ ଦାଖଲ: କୋଭିଡ୍‌ ପ୍ରୋଟୋକଲ ପାଳନ ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି

ଅନ୍‌ଲକ୍‌ ଏକ ଅତ୍ୟାବଶ୍ୟକ ପ୍ରକ୍ରିୟା

ନୂଆଦିଲ୍ଲୀ : କେନ୍ଦ୍ର ସରକାର କରୋନା ନିୟମାବଳି ଉଲ୍ଲଂଘନ ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍‌ର ଜବାବ ରଖି ହାଇକୋର୍ଟରେ ଆଜି ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଦିଲ୍ଲୀ ବଜାରଗୁଡ଼ିକରେ କରୋନା ନିୟମାବଳିର ଉଲ୍ଲଂଘନ ଘଟଣାରେ ହାଇକୋର୍ଟ ଗତ ଜୁନ୍‌ ୧୮ ତାରିଖରେ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ନିଜଆଡ଼ୁ ଏହି ମାମଲାର ଶୁଣାଣି କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଥିଲେ। କେନ୍ଦ୍ର ସରକାର ଆଜି ଏହି ମାମଲାରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ସରକାର କହିଛନ୍ତି, କରୋନା ମହାମାରୀ ପରିଚାଳନା ନେଇ ଜାରି ହୋଇଥିବା ଜାତୀୟ ନିର୍ଦ୍ଦେଶାବଳି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଅନୁପାଳନ କରିବାପାଇଁ କୁହାଯାଇଥିଲା।

ଏଥିସହ ଜାତୀୟ ବିପର୍ଯ୍ୟୟ ପରିଚାଳନା‌ ଆଇନ ଅଧୀନରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ। ଜୁନ୍‌ ୨୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଏନେଇ ନିର୍ଦ୍ଦେଶାବଳି ଜାରି ହୋଇଥିଲା। କରୋନା ସଂକ୍ରାନ୍ତ ଜାତୀୟ ନିୟମାବଳିର ଅନୁପାଳନ ସହ ରାଜ୍ୟମାନେ ଆବଶ୍ୟକ ସ୍ଥଳେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅଧୀନରେ ଜରୁରୀ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିବା ସରକାର କହିଛନ୍ତି। ଲକ୍‌ଡାଉନ୍‌ ଖୋଲିବା ଘଟଣାରେ ସରକାର କହିଛନ୍ତି, ଏହା ଏକ ଅତ୍ୟାବଶ୍ୟକ ପ୍ରକ୍ରିୟା ଏବଂ ବାସ୍ତବ ସ୍ଥିତି ସମୀକ୍ଷା ପରେ କଟକଣା କୋହଳ ନିଷ୍ପତ୍ତି ନିଆଯାଉଛି।

ସମ୍ବନ୍ଧିତ ଖବର