ନୂଆଦିଲ୍ଲୀ : ଚୀନ୍‌, ଦକ୍ଷିଣ କୋରିଆ, ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯିବା ସହ ଆସନ୍ତା ମଙ୍ଗଳବାରଠାରୁ ସମସ୍ତ ହସ୍ପିଟାଲରେ ମକ୍‌ଡ୍ରିଲ୍ କରାଯିବ ବୋଲି ଶୁକ୍ରବାର ଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚେତାଇ ଦିଆଯାଇଛି ଯେ ମହାମାରୀ ଏଯାଏ ଯାଇନାହିଁ। ତେଣୁ ଆସନ୍ତା ଖ୍ରୀଷ୍ଟମାସ ଓ ନୂଆବର୍ଷ ପରି ଉତ୍ସବ ପାଳନ ସମୟରେ ଜନସାଧାରଣ କୋଭିଡ୍ ନିୟମାବଳି ପାଳନ କରିବାକୁ ହେବ।

Advertisment

୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଭାରତ ବାୟୋଟେକ୍‌ର ନାକରେ ପକାଯାଉଥିବା ଟିକା (ଇଣ୍ଟ୍ରାନାଜାଲ କୋଭିଡ୍ ଭାକ୍ସିନ)କୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି। ପୂର୍ବରୁ କୋଭିସିଲ୍‌ଡ ବା କୋଭାକ୍ସିନର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତିମାନେ ଏହାକୁ ବିଷମଜାତୀୟ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ। ଏହି ଟିକାଦାନ ଆଜିଠୁ ଆରମ୍ଭ ହୋଇଛି। ଏହି ବିବିଭି୧୫୪ ବା ଇନ୍‌କୋଭାକ୍ ହେଉଛି ଏକ ନାସିକ୍ୟ ଟିକା (ନାଜାଲ ଭାକ୍ସିନ)। ଏହାକୁ ନେବା ପାଇଁ ଅନ୍ୟ ଟିକା ପରି ଇଂଜେକ୍ସନ ସିରିଞ୍ଜର ଆବଶ୍ୟକତା ନାହିଁ। ଏହାକୁ ନାକରେ ଡ୍ରପ୍ ଆକାରରେ ପକାଯିବ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଆଗରୁ ଆମେ ଗୋଟିଏ ଧାରା ଦେଖିଛୁ- ସଂକ୍ରମଣ ଚୀନ୍, କୋରିଆ ଓ ବ୍ରାଜିଲରୁ ଆରମ୍ଭ ହୋଇ ଦକ୍ଷିଣ ଏସିଆକୁ ଆସିଥାଏ। ପୂର୍ବରୁ ଏହା ୨୦ରୁ ୩୫ ଦିନ ଭିତରେ ଭାରତରେ ପହଞ୍ଚିବା ଦେଖାଯାଇଥିଲା। ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି।

ଶୁକ୍ରବାର ଅପରାହ୍ଣରେ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। କୋଭିଡ୍ ସଂକ୍ରମଣର ସମ୍ଭାବ୍ୟତା ନେଇ ସମସ୍ତଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଗବେଷକମାନଙ୍କ ମତକୁ ଉଲ୍ଲେଖ କରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦୁର୍ବଳ ଟିକା, କମ୍ ଟିକାକରଣ, ପ୍ରାକୃତିକ ରୋଗନିରୋଧକ କ୍ଷମତାର ଅଭାବ ଏବଂ ହଠାତ୍ କଟକଣା ଉଠାଇଦେବା ଯୋଗୁ ନୂଆ ସଂକ୍ରମଣ ବୃଦ୍ଧି ପାଇପାରେ। ଏଣୁ ସର୍ବସାଧାରଣ ସ୍ଥାନରେ ସତର୍କତା ଅବଲମ୍ବନ କରିବା, ଲକ୍ଷଣ ଥିବା ଲୋକେ ଡାକ୍ତର ପରାମର୍ଶ କରିବା ଓ ସଂଗରୋଧରେ ରହିବା ଏବଂ ଯେଉଁମାନେ ବୁଷ୍ଟର ନେଇନାହାନ୍ତି ସେମାନେ ତୁରନ୍ତ ତାହା ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।