ନୂଆଦିଲ୍ଲୀ: ଦେଶରେ ଡାକ୍ତରଙ୍କ ଅଭାବ ପରିଲକ୍ଷିତ ହେଉଥିବା ବେଳେ ଚଳିତବର୍ଷ ୧୪୫୬ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ସିଟ୍ ଖାଲି ପଡ଼ିଥିବାରୁ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍କୋର୍ଟ। ଡାକ୍ତରମାନଙ୍କ ଭବିଷ୍ୟତ ସହ ଖେଳୁଛ ବୋଲି କହି କୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କାହିଁକି ମେଡିକାଲ ପିଜି ସିଟ୍ଗୁଡ଼ିକ ଖାଲି ପଡ଼ିଛି ୭ ଦିନ ଭିତରେ ଏକ ସତ୍ୟପାଠରେ ତାହା ଜଣାଇବା ପାଇଁ କୋର୍ଟ କେନ୍ଦ୍ର ସରକାର ଓ ମେଡିକାଲ କାଉନ୍ସେଲିଂ କମିଟି (ଏମ୍ସିସି)କୁ କହିଛନ୍ତି। ଡାକ୍ତରମାନଙ୍କ ଜୀବନ ଓ ଭବିଷ୍ୟତ ସହ ଖେଳ ଖେଳିଥିବାରୁ କୋର୍ଟ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇପାରେ ବୋଲି ଚେତାବନୀ ଦେଇଛନ୍ତି।
ଖାଲି ପଡ଼ିଥିବା ନିଟ୍-ପିଜି ସିଟ୍କୁ ନେଇ ସାତ ଜଣ ଡାକ୍ତର କରିଥିବା ଆବେଦନର ଶୁଣାଣି କରିଥିଲେ ଜଷ୍ଟିସ୍ ଏମ୍.ଆର୍. ଶାହ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ। ନିଟ୍-ପିଜି ଚୟନ ପ୍ରକ୍ରିୟାର ମପ୍ଅପ୍ ରାଉଣ୍ଡ ମେ’ ୭ରୁ ସରିଥିବା ବେଳେ ଖାଲି ଥିବା ସିଟ୍ଗୁଡ଼ିକୁ ଏଯାବତ୍ ପୂର୍ଣ୍ଣ କରାଯାଇନାହିଁ। ଏହାଦ୍ବାରା ଉଭୟ ଛାତ୍ର ଏବଂ ଅଭିଭାବକମାନେ ଚାପଗ୍ରସ୍ତ ହେଉଛନ୍ତି ବୋଲି କୋର୍ଟ କହିଛନ୍ତି। ପାଖାପାଖି ୧୪୫୬ଟି ସିଟ୍ ଖାଲି ପଡ଼ିଥିବା ବେଳେ ସରକାର ଏ ଦିଗରେ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ରହିଛି। ଦେଶରେ ଅଧିକ ଡାକ୍ତର ଆବଶ୍ୟକ ଥିବା ବେଳେ ତାହା ପୂରଣ ନକରିବା କେନ୍ଦ୍ରର ଦାୟିତ୍ବହୀନତାକୁ ସୂଚାଉଛି ବୋଲି କୋର୍ଟ କହିଛନ୍ତି। ଡାକ୍ତର ଚୟନ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମାମଲା। ବିଳମ୍ବରେ ପ୍ରବେଶିକା ପରୀକ୍ଷା କରାଯାଇଥିବା ବେଳେ କେନ୍ଦ୍ର ଏବଂ ଏମ୍ସିସିର ସମୟାନୁବର୍ତ୍ତିତା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍ବେଗ ପ୍ରକାଶ କରିଛନ୍ତି। ମେଡିକାଲ ସିଟ୍ ସଂଖ୍ୟା ବୃଦ୍ଧିକୁ ବିଚାରପତି ସମାଲୋଚନା କରିବା ସହିତ ଏହା ଦୁର୍ନୀତିକୁ ପ୍ରଶ୍ରୟ ଦେବ ବୋଲି କହିଛନ୍ତି। ଆବେଦନ ଅନୁଯାୟୀ ଏମ୍ସିସି ଏକ ସ୍ବତନ୍ତ୍ର ରାଉଣ୍ଡ ଆୟୋଜନ କରିବା ପାଇଁ ଦାବି କରାଯାଇଛି।
ଏଥିରେ ନିଟ୍-ପିଜି ୨୦୨୧ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମାତ୍ର ମପ୍-ଅପ୍ ରାଉଣ୍ଡ ପରେ ଆଡ୍ମିସନ କରିପାରି ନ ଥିବା ଡାକ୍ତରୀ ଛାତ୍ରମାନଙ୍କୁ ସୁଯୋଗ ଦିଆଯିବା ଲାଗି ଆବେଦନ କରାଯାଇଛି। ଖାଲି ଥିବା ସିଟ୍ ପାଇଁ କଲେଜ ଯେତିକି କ୍ଷତି ସହୁଛି ଛାତ୍ରଛାତ୍ରୀ ମଧ୍ୟ ଅନୁରୂପ କ୍ଷତି ସହୁଛନ୍ତି ବୋଲି ପିଟିସନରେ ଉଲ୍ଲେଖ ରହିଛି। ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି ଆଜିର ଶୁଣାଣି ବେଳେ ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ଥିଲେ।