ପାର୍ବଣ ପାଇଁ ସତର୍କ କଲା କେନ୍ଦ୍ର; ୨୦ ହଜାର ତଳେ ଦୈନିକ ସଂକ୍ରମଣ, ୨୦୧ ଦିନ ପରେ ୨୦ ହଜାରରୁ କମ୍‌

ନୂଆଦିଲ୍ଲୀ : ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ୨୦ ହଜାର ତଳେ ରହିଛି। ୨୦୧ ଦିନ ପ‌ରେ ଦେଶରେ ଦୈନିକ ସଂକ୍ରମଣ ୨୦ ହଜାର ତଳକୁ ଖସିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି। ଦେଶରେ ଆଜି ୧୮,୭୯୫ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଉଭୟ ସଂକ୍ରମଣ ମାମଲା ଏବଂ ମୃତ୍ୟୁ କମ୍‌ ରହିଛି। ଦେଶରେ ସକ୍ରିୟ ମାମଲା ୨,୯୨,୨୦୬ ରହିଛି ଏବଂ ୧୯୨ ଦିନରେ ଏହା ସବୁଠୁ କମ୍‌। ଲଗାତାର ୯୩ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ମାମଲା ୫୦ ହଜାର ତଳେ ରହୁଛି। ଦୈନିକ ପଜିଟିଭ୍‌ ହାର ୧.୪୨ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୭.୮୧ ପ୍ରତିଶତ ରହିଛି।

କେରଳରେ ଗତ ୨୪ ଘଣ୍ଟାରେ ୧୧,୬୯୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳ ପରେ ଦ୍ବିତୀୟ ଦକ୍ଷିଣାଞ୍ଚଳ ରାଜ୍ୟ ଭାବେ ତାମିଲନାଡ଼ୁରେ ୧୬୫୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶରେ ଗତକାଲି ମାତ୍ର ୬ଟି ମାମଲା ଚିହ୍ନଟ ହୋଇଛି। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡରେ କୌଣସି କରୋନା ମୃତ୍ୟୁ ‌ହୋଇନାହିଁ। ଦେଶରେ ଟିକାକରଣ ୮୬ କୋଟି ଟପିଗଲାଣି। ଗତକାଲି ଦେଶରେ ୧ କୋଟିରୁ ଅଧିକ ଟିକାକରଣ ହୋଇଥିଲା। ଅଗଷ୍ଟ ୨୭ରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ ଟିକାକରଣ ୧ କୋଟି ଟପିଥିଲା।

ନୂଆଦିଲ୍ଲୀ: ପାର୍ବଣ ଋତୁରେ କୋଭିଡ୍‌ ସଂକ୍ରମଣ ବଢ଼ିବା ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ କରାଇଛନ୍ତି। ପାର୍ବଣ ପରେ ଯେମିତି ସଂକ୍ରମଣ ନବଢ଼େ‌ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ସଂକ୍ରମଣ କମି ଯାଇଥିବାରୁ ଆତ୍ମସନ୍ତୁଷ୍ଟ ନହେବାପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସତର୍କ କରିଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏନେଇ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍ତି। ପାର୍ବଣରେ କୋଭିଡ୍‌ ନିୟମାବଳି ପାଳନ କରିବା ଏତେ ସହଜ ନୁହେଁ। କିନ୍ତୁ ସଂକ୍ରମଣ ବୃଦ୍ଧି ଯେଭଳି ନହୁଏ ସେଦିଗରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ। ପଜିଟିଭ୍‌ ହାର ଅଧିକ ଥିବା‌ ଜିଲ୍ଲାକୁ ଅବରୋଧ କରି ରଖିବା ପାଇଁ ସରକାର କହିଛନ୍ତି। କେନ୍ଦ୍ର ସରକାର ପୂର୍ବରୁ ଜାରି କରିଥିବା କୋଭିଡ୍‌ ନିର୍ଦ୍ଦେଶାବଳି ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ରାଜ୍ୟମାନେ ପଜିଟିଭ୍‌ ମାମଲା ଉପରେ ସତର୍କ ନଜର ରଖିବା ଉଚିତ ବୋଲି ଭଲ୍ଲା କହିଛନ୍ତି।

ସମ୍ବନ୍ଧିତ ଖବର