ନୂଆଦିଲ୍ଲୀ : ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪)ରେ ଭାରତ ସରକାର ୧୬ ଲକ୍ଷ କୋଟି ଟଙ୍କାର ଋଣ କରିପାରନ୍ତି ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଗତ ଚାରି ବର୍ଷରେ ‌ସରକାର ବିପୁଳ ପରିମାଣର ବ୍ୟୟ କରିଥିବାରୁ ଋଣ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ମୋଦୀ ସରକାର ଉପସ୍ଥାପନ କରିବାକୁ ଯାଉଥିବାରୁ ସେଥିରେ ଭିତ୍ତିଭୂମିରେ ବ୍ୟୟ ବୃଦ୍ଧିକୁ ପ୍ରାଥମିକତା ମିଳିପାରେ ବୋଲି କୁହାଯାଉଛି।

Advertisment

ଆସନ୍ତା ବର୍ଷ ମାନ୍ଦାବସ୍ଥାର ଆଶଙ୍କା ଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇ ଟିକସ ସଂଗ୍ରହ କମିବ। ସେଭଳି ସ୍ଥିତିରେ ବ୍ୟୟକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବାକୁ ହେଲେ ସରକାରଙ୍କୁ ଋଣ କରିବାକୁ ପଡ଼ିବ। ୨୦୨୨-୨୩‌ ଆର୍ଥିକ ବର୍ଷରେ ସରକାର ୧୪.୨ କୋଟି ଟଙ୍କାର ଋଣ କରିବେ ବୋଲି ବଜେଟ୍‌ରେ ଜଣାଇଥିଲେ। ଆସନ୍ତା ବର୍ଷ ବଜେଟ୍‌ରେ ଏହି ଲକ୍ଷ୍ୟ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇପାରେ ବୋଲି ୪୩ ଜଣ ଅର୍ଥନୀତିଜ୍ଞଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ୨୦୧୪ରେ ମୋଦୀ ସରକାର ପ୍ରଥମ ଥର ଶାସନ ଭାର ଗ୍ରହଣ କରିବା ବେଳେ ସରକାରଙ୍କ ଋଣ ପରିମାଣ ୫.୯୨ ଲକ୍ଷ କୋଟି ଟଙ୍କା ଥିଲା। ମହାମାରୀ ସମୟରେ ହୋଇଥିବା ଆଖିବୁଜା ବ୍ୟୟ ପାଇଁ ଯେଉଁ ପାଣ୍ଠି ଯୋଗାଡ଼ କରାଯାଇଥିଲା ତାହାକୁ ଶୁଝିବା ଲାଗି ସରକାର ଅଧିକ ଋଣ କରିବାକୁ ବାଧ୍ୟ ହେଉଛନ୍ତି। ୨୦୨୩-୨୪ରେ ସରକାରଙ୍କୁ ୪.୪ ଲକ୍ଷ କୋଟି ଟଙ୍କା କେବଳ ଶୁଝିବାକୁ ପଡ଼ିବ।

ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ପ୍ରୟାସ କରିବେ ଯାହା ୧୯୭୦ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୨୦୨୫-୨୬ ସୁଦ୍ଧା ତାହାକୁ ୪.୫%କୁ ହ୍ରାସ କରିବା ଲାଗି ସରକାର ଉଦ୍ୟମ କରିବେ। ଅର୍ଥନୀତିଜ୍ଞମାନେ ଜଣାଇଛନ୍ତି ଯେ ୨୦୨୩-୨୪ରେ ସରକାରଙ୍କ ପୁଞ୍ଜି ବ୍ୟୟ ୮.୮୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଚୀନ୍‌କୁ ପଛରେ ପକାଇ ବିଶ୍ବର କାରଖାନାରେ ପରିଣତ ହେବାକୁ ହେଲେ ଭିତ୍ତିଭୂମିରେ ସରକାରଙ୍କ ବିପୁଳ ବ୍ୟୟ କରିବାକୁ ପଡ଼ିବ। ଏହା ବ୍ୟତୀତ ଶିକ୍ଷା, ସ୍ବାସ୍ଥ୍ୟ ସେବା ଓ ଗ୍ରାମୀଣ ବିକାଶରେ ମଧ୍ୟ ସରକାରଙ୍କୁ ବ୍ୟୟ ବଢ଼ାଇବାକୁ ହେବ। ଖାଦ୍ୟ ଓ ସାର ସବ୍‌ସିଡି ବାବଦକୁ ସରକାର ୩.୩୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି ଯାହା ୨୦୨୨-୨୩ ତୁଳନାରେ ୨୫% କମ୍।