ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ଦୂର କରିବାପାଇଁ ବିରୋଧୀ ସାଂସଦମାନେ ଉଭୟ ପକ୍ଷଙ୍କୁ ସୁହାଇବା ଭଳି ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ସରକାର ଗ୍ରହଣ କରିନେଇଥିବା ଜଣାପଡ଼ିଛି। ଅଗଷ୍ଟ ୧୧ ତାରିଖରେ ବିରୋଧୀ ସାଂସଦଙ୍କ ପ୍ରସ୍ତାବ ମୁ୍ତାବକ ମଣିପୁର ହିଂସା ସଂକ୍ରାନ୍ତରେ ଗୃହରେ ଆଲୋଚନା ପାଇଁ ସରକାର ରାଜି ହୋଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ଆଜି ‌କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ପ୍ରହ୍ଲାଦ ଯୋଶୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅନ୍ୟ ବିରୋଧୀ ନେତାମାନଙ୍କୁ ଭେଟିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଡାକିଥିବା ଏକ ବୈଠକରେ ବିରୋଧୀ ସାଂସଦମାନେ ଯୋଗ ନଦେବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ବିରୋଧୀ ସାଂସଦଙ୍କୁ ଭେଟି ବୁଝାଇବାକୁ ଚେଷ୍ଟା କରିଥିଲେ। ବିରୋଧୀ ସାଂସଦମାନେ ଅଚଳାବସ୍ଥା ହଟାଇବା ପାଇଁ ଏକ ପ୍ରସ୍ତାବ ଦେଇଥିଲେ। ବିରୋଧୀ ସାଂସଦମାନେ ରୁଲ୍‌ ୨୬୭ ଅଧୀନରେ ଗୃହ‌ର ସମସ୍ତ କାର୍ଯ୍ୟ ବାତିଲ କରି କେବଳ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଚାହିଥିଲେ। କିନ୍ତୁ ସରକାର ରୁଲ୍‌ ୧୭୬ ଅଧୀନରେ ମଣିପୁର ପ୍ରସଙ୍ଗରେ ସ୍ବଳ୍ପ ସମୟର ଆଲୋଚନା ଚାହୁଥିଲେ। ତେବେ ସଂସଦରେ ଜାରି ରହିଥିବା ଅଚଳାବସ୍ଥା ହଟାଇବାପାଇଁ ସରକାର ଶେଷରେ ବିରୋଧୀଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି।

Advertisment

ବାଚସ୍ପତିଙ୍କୁ ମନାଇଲେ ଅଧୀର ରଂଜନ ଚୌଧୁରୀ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ଲଗାତାର ଗୃହ କାର୍ଯ୍ୟ‌ରେ ବାଧା ଉପୁଜିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗତକାଲି ଗୃହକୁ ଆସିନଥିଲେ। ଆଜି ମଧ୍ୟ ବାଚସ୍ପତି ଲୋକସଭାରେ ଅଧ୍ୟକ୍ଷତା କରିନଥିଲେ। କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଆଜି କହିଥିଲେ, ବିରୋଧୀ ସାଂସଦମାନେ ଗୃହରେ ବାଚସ୍ପତିଙ୍କ ଉପସ୍ଥିତି ଚାହୁଛନ୍ତି। ସେ କହିଥିଲେ ବିର୍ଲା ହେଉଛନ୍ତି ସେମାନଙ୍କର ରକ୍ଷକ ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତି। ଏହାପରେ ଚୌଧୁରୀ ଏବଂ ଅନ୍ୟ ବିରୋଧୀ ନେତାମାନେ ବିର୍ଲାଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିଥିଲେ ଏବଂ ଗୃହରେ ଅଧ୍ୟକ୍ଷତା କରିବାପାଇଁ ଅନୁରୋଧ କରିଥିଲେ। ବିରୋଧୀ ସାଂସଦଙ୍କ କଥା ଶୁଣି ବାଚସ୍ପତି ଅପରାହ୍ନ ୨ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ସମୟରେ ଗୃହକୁ ଆସିଥିଲେ।