ନକଲି କୋଭିଡ୍‌ ଟେଷ୍ଟ୍‌, ଅକ୍ସିଜେନ୍‌ ଅଭାବ ଜନିତ ମୃତ୍ୟୁ ମାମଲା: ରାଜ୍ୟମାନଙ୍କଠାରୁ ତଥ୍ୟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନ୍‌ ଅଭାବଜନିତ ମୃତ୍ୟୁ ଏବଂ ନକଲି କୋଭିଡ୍‌ ଟେଷ୍ଟ୍‌ ସଂକ୍ରାନ୍ତରେ କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ତଥ୍ୟ ମାଗିଛନ୍ତି। କରୋନାର ଦ୍ବିତୀୟ ଲହରରେ କେଉଁ ରାଜ୍ୟରେ ଅକ୍ସିଜେନ୍‌ ଅଭାବରୁ କେତେ ମୃତ୍ୟୁ ‌ହୋଇଛି ସେନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ତଥ୍ୟ ମାଗିଛନ୍ତି। ଅଗଷ୍ଟ ୧୩ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଶେଷ ପୂର୍ବରୁ ଏହି ତଥ୍ୟ ସଂସଦରେ ଉପସ୍ଥାପନ କରାଯିବ। ଉଲ୍ଲେଖଯୋଗ୍ୟ, ଦେଶରେ ଅକ୍ସିଜେନ୍‌ ଅଭାବରୁ କୌଣସି କରୋନା ମୃତ୍ୟୁ ହୋଇନାହିଁ ବୋଲି ସରକାର ସଂସଦରେ ସୂଚନା ଦେଇଥିଲେ। ସରକାରଙ୍କ ଏହି ମନ୍ତବ୍ୟକୁ ବିରୋଧୀ ଦଳମାନେ କଡ଼ା ସମାଲୋଚନା କରିଥିଲେ। କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିୟା କହିଥିଲେ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ତଥ୍ୟକୁ ଆଧାର କରି ହିଁ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।

ଅନ୍ୟପକ୍ଷେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିଭିନ୍ନ ରାଜ୍ୟରେ ରିପୋର୍ଟ ହୋଇଥିବା ଭୁଲ୍‌ କୋଭିଡ ଟେଷ୍ଟ୍‌ ରିପୋର୍ଟକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏହି ମାମଲାରେ ରାଜ୍ୟମାନଙ୍କଠାରୁ ବିସ୍ତୃତ ବିବରଣୀ ମାଗିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଆଜି ରାଜ୍ୟସଭା‌ରେ ସୂଚନା ଦେଇ ଏହା କହିଛନ୍ତି। ଉତ୍ତରାଖଣ୍ଡରେ ନକଲି କୋଭିଡ୍‌ ଟେଷ୍ଟ୍‌ର ଉଦାହରଣ ରହିଛି। ଅନେକ ଘରୋଇ ସଂସ୍ଥା ନକଲି କୋଭିଡ୍‌ ଟେଷ୍ଟ୍‌ ରୢାକେଟ୍‌ରେ ସମ୍ପୃକ୍ତ ଅଛନ୍ତି ଏବଂ ଏହାଦ୍ବାରା ଅନେକ ଲୋକଙ୍କ ଜୀବନ ବିପଦାପନ୍ନ ହୋଇଛି। । ରାଜ୍ୟମାନେ ଏସଂକ୍ରାନ୍ତ‌ରେ ଅବଗତ ଅଛନ୍ତି କି ନା’ ସେନେଇ ପ୍ରଶ୍ନ କରାଯାଇଛି ଏବଂ ରାଜ୍ୟମାନଙ୍କଠାରୁ ଉକ୍ତ ମାମଲାରେ ବିସ୍ତୃତ ବିବରଣୀ ମଗାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର