ନୂଆଦିଲ୍ଲୀ : କରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ଆଇନଜୀବୀ ଏବଂ ବିଚାରପତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାପାଇଁ ବିଭିନ୍ନ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ଆଜି କେନ୍ଦ୍ର ସରକାର ଏହି ମାମଲାରେ ସୁପ୍ରିମ୍ କୋର୍ଟରେ ମତ ରଖିଛନ୍ତି। ସରକାର ତାଙ୍କ ଜବାବରେ କହିଛନ୍ତି, ଆଇନଜୀବୀ ଏବଂ ବିଚାରପତିଙ୍କୁ ଟିକାକରଣରେ ପ୍ରାଧାନ୍ୟ ଦେଇହେବ ନାହିଁ । ଏଭଳି କରି ସରକାର ନିୟମର ଉଲ୍ଲଂଘନ କରିପାରିବେ ନାହିଁ କି ଅନ୍ୟ ବୃତ୍ତି ପାଇଁ ଭେଦଭାବ ସୃଷ୍ଟି କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିୟମ ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟରେ କେବଳ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଏବଂ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯିବ।
ଏହି ସମୟରେ ଯଦି କେବଳ ଆଇନ ବୃ୍ତ୍ତିରେ ଥିବା ଲୋକଙ୍କୁ ଟିକା ଦିଆଯିବ ତେବେ ଏହା ଅନ୍ୟ ବୃତ୍ତି ପ୍ରତି ଭେଦଭାବ ହେବ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିବା ବେଳେ ସରକାର ଆଜି କୋର୍ଟରେ ଏହି ତଥ୍ୟ ରଖିଛନ୍ତି। ଅନ୍ୟପକ୍ଷେ କୋର୍ଟ ଆସନ୍ତା ୧୮ ତାରିଖରେ ଏହି ମାମଲାରେ ଏକ ଆବେଦନ ଉପରେ ଶୁଣାଣି କରିବେ। ଭାରତ ବାୟୋଟେକ୍ ଏବଂ ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍, କୋଭିସିଲ୍ଡ ଟିକାର ବ୍ୟବହାର ସାଧାରଣ ଜନତାଙ୍କ ପାଇଁ ବ୍ୟାପକ ଭାବେ ହେଉନଥିବାରୁ ଦିଲ୍ଲୀ ହାଇକୋର୍ଟ ନିକଟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଟିକା ରପ୍ତାନୀ ପ୍ରସଙ୍ଗରେ କୋର୍ଟ ପ୍ରଶ୍ନ ଉଠାଇଥିଲେ। ଟିକାକୁ ଆମେ ସମ୍ପୂର୍ଣ୍ଣ ବ୍ୟବହାର କରିପାରୁନୁ।
ଏହାକୁ ଆମେ ବିଦେଶ ରାଷ୍ଟ୍ରକୁ ବିକୁଛୁ କିମ୍ବା ଦାନ କରୁଛୁ, କିନ୍ତୁ ଆମ ନିଜ ଲୋକଙ୍କୁ ଟିକାକରଣ କରିପାରୁନୁ ବୋଲି କୋର୍ଟ କହିଥିଲେ। ଏହି କ୍ଷେତ୍ରରେ ଦାୟିତ୍ବବୋଧର ଆବଶ୍ୟକତା ଅଛି ବୋଲି କୋର୍ଟ କହିଥିଲେ। କୋର୍ଟ ମଧ୍ୟ ଉପରୋକ୍ତ ୨ ଟିକା ନିର୍ମାଣକାରୀ ସଂସ୍ଥାର ଉତ୍ପାଦନ କ୍ଷମତା ଏବଂ ବ୍ୟବହାର ହୋଇନଥିବା ଷ୍ଟକ୍ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ମାଗିଥିଲେ। ଅନ୍ୟପକ୍ଷେ ସିରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ଏବଂ ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ ଏବଂ ମୁକୁଲ ରୋହତଗି କୋର୍ଟରେ ପକ୍ଷ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/supreme-courte.jpg)