ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ସମୟରେ ସମ୍ବିଧାନ ସହିତ କୌଣସି ଧୋକାବାଜି ହୋଇନାହିଁ। ଗୁରୁବାରଠାରୁ ଏହି ଧାରା ଉଚ୍ଛେଦକୁ ନେଇ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ବେଳେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସମ୍ବିଧାନ ପୀଠରେ ଉକ୍ତ ମାମଲାର ଶୁଣାଣି ଚାଲିଛି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଥିଲେ, ଉକ୍ତ ଧାରା ଉଚ୍ଛେଦ ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତିକୁ ଯୁକ୍ତିଯୁକ୍ତ ବୋଲି ପ୍ରତିପାଦିତ କରିବାକୁ ହେବ।
କାରଣ ସିଦ୍ଧାନ୍ତ ପାଇଁ ଗ୍ରହଣ କରାଯାଇଥିବା ସାଧନ ଯଥାର୍ଥ ବୋଲି ସୁପ୍ରିମକୋର୍ଟ ଆକଳନ କରିପାରିବେ ନାହିଁ। ଉଭୟ ସୁସଙ୍ଗତ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି କହିଛନ୍ତି, ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ଆବଶ୍ୟକ ଥିଲା। ଏଥିପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟାରେ କୌଣସି ଅସଙ୍ଗତି ହୋଇନାହିଁ। ସମ୍ବିଧାନ ସହିତ ଧୋକାବାଜି ହୋଇଥିବା କହିବା ଠିକ୍ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ ଯୁକ୍ତି ବାଢ଼ିଥିଲେ। ସେହିଭଳି କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ମଧ୍ୟ ଯୁକ୍ତି ବାଢ଼ିବାକୁ ଯାଇ କହିଥିଲେ କେବଳ ଜମ୍ମୁ କାଶ୍ମୀରର ମିଶ୍ରଣ ଭାରତ ସହିତ ମିଶ୍ରଣ ସାଧନ ଜରିଆରେ ମିଶି ନାହିଁ। ୧୯୪୭ ସ୍ବାଧୀନତା ପରେ ଅନେକ ଦେଶୀୟ ରାଜ୍ୟ ମଧ୍ୟ ଭାରତ ସହିତ ଅନେକ ସର୍ତ୍ତ ସହିତ ମିଶିଛନ୍ତି। କିନ୍ତୁ ପରେ ସେମାନଙ୍କର ସାର୍ବଭୌମତ୍ବକୁ ଭାରତର ସାର୍ବଭୌମତ୍ବ ସହିତ ମିଶାଇ ଦିଆଯାଇଛି।