ନୂଆଦିଲ୍ଲୀ: ନିର୍ବାଚନ ପାଣ୍ଠିର ଉତ୍ସ ସଂପର୍କରେ ଜାଣିବାର ଅଧିକାର ସମ୍ବିଧାନର ଧାରା ୧୯(୧)(ଏ) ଅଧୀନରେ ନାଗରିକମାନଙ୍କର ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଜି ଏହି ଯୁକ୍ତି ବାଢ଼ିଛନ୍ତି ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି। ନିର୍ବାଚନ ବଣ୍ଡ୍ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନ ଦ୍ବାରା ଅର୍ଥନୀତିରେ ସ୍ବଚ୍ଛତା ବଜାୟ ରହି ପାରୁଛି ବୋଲି ସେ ମତ ରଖିଛନ୍ତି। ଯେକୌଣସି ବିଷୟରେ ସବୁକିଛି ଜାଣିବାର ସାଧାରଣ ଅଧିକାର ରହିପାରିବ ନାହିଁ। ଯୁକ୍ତିଯୁକ୍ତ ପ୍ରତିବନ୍ଧକ ରହିବ ବୋଲି ସୁ୍ପ୍ରିମକୋର୍ଟରେ ଦାଖଲ କରିଥିବା ବୟାନରେ ସେ କହିଛନ୍ତି। ନିର୍ବାଚନୀ ବଣ୍ଡ୍ ଜରିଆରେ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କର ପରିଚୟ ଗୋପନ ରହିବା ସୁବିଧା ରହିଛି। ସ୍ବଚ୍ଛ ଅର୍ଥ ଆସିବା ବ୍ୟବସ୍ଥାକୁ ଏହା ପ୍ରୋତ୍ସାହିତ କରିଥାଏ। ଟିକସ ନିୟମ ପାଳନକୁ ନିଶ୍ଚିତ କରିଥାଏ। ତେଣୁ ଏହା ବର୍ତ୍ତମାନର କୌଣସି ପ୍ରକାର ନିୟମକୁ ଉଲ୍ଲଂଘନ କରି ନଥାଏ। ନ୍ୟାୟିକ ସମୀକ୍ଷାର ଉଦ୍ଦେଶ୍ୟ ନୁହେଁ ସରକାରଙ୍କ ନୀତିର ଯାଞ୍ଚ କରିବା ବରଂ ଉତ୍ତମ କିମ୍ବା ଭିନ୍ନ ପରାମର୍ଶ ଦେବା ବୋଲି ଭେଙ୍କଟରମଣି କହିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ନିର୍ବାଚନୀ ବଣ୍ଡ୍ ଯୋଜନାର ବୈଧତାକୁ ଚାଲେଞ୍ଜ କରି ହୋଇଥିବା ଏକାଧିକ ଆବେଦନର ଶୁଣାଣି ୩୧ ତାରିଖରୁ ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠ ଆରମ୍ଭ କରିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ସଂଜୀବ ଖାନ୍ନା, ବିଆର୍ ଗୱାଇ, ଜେବି ପର୍ଦ୍ଦିୱାଲା ଓ ସଂଜୟ ମିଶ୍ର। ଏହା ପୂର୍ବରୁ ଆଟର୍ଣ୍ଣି ଜେନେରାଲ ଏଭଳି ଯୁକ୍ତି ରଖିଛନ୍ତି।
୨୦୧୮ ଜାନୁଆରି ୨ ତାରିଖରେ ସରକାର ନିର୍ବାଚନୀ ବଣ୍ଡ୍ ସ୍କିମ୍ର ବିଜ୍ଞପ୍ତି ଜାରି କରିଥିଲେ। ୨୦୨୦ ଜାନୁଆରି ୨୦ରେ ସୁପ୍ରିମକୋର୍ଟ ଉକ୍ତ ସ୍କିମ ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରିଦେଇଥିଲେ। ଏଥିସହିତ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କ ଠାରୁ ଜବାବ ଲୋଡ଼ିଥିଲେ। ଅତୀତରେ ସରକାର ଓ ନିର୍ବାଚନ କମିସନ ଉକ୍ତ ମାମଲାରେ ଭିନ୍ନ ଭିନ୍ନ ମତ ରଖିଥିଲେ। ସରକାର ଦାତାଙ୍କ ନାମ ଗୋପନ ରଖିବା ପାଇଁ କହିଥିବାବେଳେ ନିର୍ବାଚନ କମିସନ ସ୍ବଚ୍ଛତା ଦୃଷ୍ଟିରୁ ଦାତାଙ୍କ ନାମ ପ୍ରକାଶ କରିବାକୁ କହିଥିଲେ।