ଟ୍ବିଟର ସିଇଓଙ୍କୁ ଧମକାଇଲେ ମସ୍କ, ପଠାଇଲେ ଧମକପୂର୍ଣ୍ଣ ମେସେଜ୍

ମସ୍କଙ୍କୁ ଅଡ଼ୁଆରେ ପକାଇପାରନ୍ତି ବିଚାରପତି

ନୂଆଦିଲ୍ଲୀ: ଟ୍ବିଟର ଓ ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଅଧିଗ୍ରହଣ ପ୍ରସ୍ତାବକୁ ମସ୍କ ରଦ୍ଦ କରିବା ପରେ ଟ୍ବିଟର୍‌ ପକ୍ଷରୁ ତାଙ୍କ ବିରୋଧରେ ଡେଲାୱାର କୋର୍ଟରେ ମାମଲା ରୁଜୁ କରାଯାଇଛି। ଏହି ଘଟଣା ପରେ ଟ୍ବିଟର ସିଇଓ ପରାଗ ଅଗ୍ରୱାଲ୍‌ଙ୍କୁ ମସ୍କ ଧମକପୂର୍ଣ୍ଣ ମେସେଜ୍ ପଠାଇଛନ୍ତି। ସେଥିରେ ସେ ଲେଖିଛନ୍ତି ତୁମ ଓକିଲ ସମସ୍ୟା ସୃଷ୍ଟି କରୁଛନ୍ତି। ଏହା ବନ୍ଦ ହେବା ଦରକାର। ଟ୍ବିଟର୍‌କୁ ୪୪୦୦ କୋଟି ଡଲାରରେ କିଣିବା ଲାଗି ମସ୍କ ପ୍ରସ୍ତାବ ଦେଇଥିଲେ। ସେହି ପାଣ୍ଠି କେଉଁଠୁ ଓ କିଭଳି ଯୋଗାଡ଼ କରିବେ ବୋଲି ଜାଣିବା ପାଇଁ ଟ୍ବିଟର୍‌ର ଓକିଲ ଜାଣିବା ଲାଗି ମସ୍କଙ୍କ ସହ କଥା ହୋଇଥିଲେ। ସେହି ବାର୍ତାଳାପ ମସ୍କଙ୍କୁ ଭଲ ଲାଗିନଥିଲା। ତେଣୁ ସେ ସିଧାସଳଖ ପରାଗଙ୍କୁ ଧମକାଇବାକୁ ପଛାଇ ନଥିଲେ।

ଟ୍ବିଟର୍‌ ଅଧିଗ୍ରହଣ ପ୍ରସ୍ତାବକୁ ଦୀର୍ଘଦିନ ପର୍ଯ୍ୟନ୍ତ ଝୁଲାଇ ରଖିବା ପରେ ତାହାକୁ ରଦ୍ଦ କରିବା ଯୋଗୁଁ ଆମେରିକାର ଡେଲାୱାର କୋର୍ଟରେ ମସ୍କଙ୍କ ବି‌ରୋଧରେ ଟ୍ବିଟର୍ ମାମଲା ରୁଜୁ କରିଛି। ମସ୍କ କହୁଛନ୍ତି ଯେ ଅଧିଗ୍ରହଣ ବୁଝାମଣାରେ ରହିଥିବା ସର୍ତ୍ତକୁ ଟ୍ବିଟର୍ କର୍ତ୍ତୃପକ୍ଷ ଉଲ୍ଲଂଘନ କରିବାରୁ ସେ ତାହାକୁ ରଦ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଟ୍ବିଟର୍‌ର ନକଲି ଆକାଉଣ୍ଟ୍‌ ସଂଖ୍ୟା ଜାଣିବାକୁ ସେ ଅଡ଼ି ବସିଥିଲେ। ତାହାର ପ୍ରକୃତ ତଥ୍ୟ ନମିଳିଲେ ଡିଲ୍ ଆଗକୁ ବଢ଼ିବ ନାହିଁ ବୋଲି ସେ କହିଥିଲେ। ଟ୍ବିଟର୍‌ କର୍ତ୍ତୃପକ୍ଷ ଆମେରିକାର ନିୟାମକ ସଂସ୍ଥାକୁ ଦେଉଥିବା ତଥ୍ୟରେ ନକଲି ଆକାଉଣ୍ଟ୍ ସଂଖ୍ୟା ୫% ମଧ୍ୟରେ ରହୁଛି ବୋଲି ଜଣାଉଛି। କିନ୍ତୁ ତାହା ସତ ନୁହେଁ ଏହି ହାର ଅତିକମ୍‌ରେ ୨୦% ହେବ ବୋଲି ମସ୍କ ଦାବି କରୁଛନ୍ତି। ଟ୍ବିଟର୍‌ ମତରେ ଡିଲ୍ ରଦ୍ଦ ପାଇଁ ମସ୍କ ଯେଉଁ କାରଣ ଦର୍ଶାଇଛନ୍ତି ତାହାର କୌଣସି ଯଥାର୍ଥତା ନାହିଁ। ଷ୍ଟକ ବଜାରରେ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ ସେ ବୁଝାମଣାରୁ ଓହରିଯାଇଛନ୍ତି ବୋଲି ଟ୍ବିଟର୍‌ ପକ୍ଷରୁ ଅଭିଯୋଗ କରାଯାଇଛି।

ଟ୍ବିଟର୍‌ ବନାମ ମସ୍କ ମାମଲାର ଶୁଣାଣି କୋର୍ଟ ଅଫ୍‌ ଚାନ୍‌ସେରିର ମୁଖ୍ୟ ବିଚାରପତି କାଥ୍‌ଲିନ୍ ମ୍ୟାକ୍‌କୋର୍‌ମିକ୍‌ଙ୍କ ଖଣ୍ଡପୀଠରେ ହେବ। ଅସମ୍ପୂର୍ଣ୍ଣ ଡିଲ୍‌କୁ ପୂର୍ଣ୍ଣ କରିବା ଲାଗି ନିର୍ଦେଶ ଦେବାର ରେକର୍ଡ ତାଙ୍କ ନାମରେ ରହିଛି। ଗତବର୍ଷ ଡେକୋପ୍ୟାକ୍ ହୋଲ୍‌ଡିଂକୁ ୫୫୦ ନିୟୁତ ଡଲାରରେ କିଣିବା ଲାଗି ସେ କୋହଲ୍‌ବର୍ଗ ଆଣ୍ଡ୍‌ କୋକୁ ନିର୍ଦେଶ ଦେଇଥିଲେ। ଏହି ଡିଲ୍‌ରୁ କୋହଲ୍‌ବର୍ଗ ଓହରିଯିବାକୁ ବସିଥିଲା। ମାତ୍ର ତାଙ୍କ ନିର୍ଦେଶ ପରେ ଡିଲ୍‌ ଚୂଡ଼ାନ୍ତ ହୋଇଥିଲା। ବର୍ତ୍ତମାନ ଟ୍ବିଟର୍‌ ସମ୍ପର୍କିତ ମାମଲାର ବିଚାର ତାଙ୍କ କୋର୍ଟରେ ହେବାକୁ ଯାଉଥିବାରୁ ମସ୍କଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର