ଏକଜୁଟ ହୋଇ ରହିବାକୁ ଆହ୍ବାନ, କ୍ବାଡ୍‌ ରାଷ୍ଟ୍ର ମୁଖ୍ୟ ଲେଖିଲେ ମିଳିତ ସ୍ତମ୍ଭ

ଵାସିଂଟନ: ଭାରତ-ପ୍ରଶାନ୍ତ ମହାସାଗର ଅଂଚଳ ସମସ୍ତଙ୍କ ପାଇଁ ସହଜ ପହଞ୍ଚଯୋଗ୍ୟ ଇଲାକା ହୋଇ ରହିବ ବୋଲି ଚତୁଃରାଷ୍ଟ୍ର କ୍ବାଡ୍‌ (ଚତୁର୍ଭୁଜ ସୁରକ୍ଷା ସମ୍ବାଦ) ରାଷ୍ଟ୍ରନେତାମାନେ ‘ଵାସିଂଟନ୍‌ ପୋଷ୍ଟ୍‌’ରେ ଏକ ମିଳିତ ସ୍ତମ୍ଭ ଲେଖିଛନ୍ତି। ଆନ୍ତର୍ଜାତିକ ଆଇନ ଦ୍ବାରା ପରିଚାଳିତ ହେବା ସହ ସଂପୃକ୍ତ ଇଲାକାରେ ନୌସ୍ବାଧୀନତା ସଂପୂର୍ଣ୍ଣ ବଜାୟ ରଖିବା ତଥା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଜୋର ଜବରଦସ୍ତିରୁ ମୁକ୍ତି ପାଇଁ ସେମାନେ ଅଙ୍ଗୀକାରବଦ୍ଧ ବୋଲି ଏକ ଶକ୍ତ ତଥା ସତର୍କ ବାର୍ତ୍ତା ଚୀନ୍‌ ଉଦ୍ଦେଶ୍ୟରେ ଛାଡ଼ିଛନ୍ତି। ସେହି ଅଞ୍ଚଳରେ ନିଜର ବଡ଼ଭାଇପଣିଆ ଜାହିର କରି ଚାଲିଥିବା ଚୀନ୍‌କୁ ଏକ ଶିକ୍ଷା ଦେବା ଲାଗି ଏହି ଚାରି ଦେଶ(ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ)ର ରାଷ୍ଟ୍ରମୁଖ୍ୟମାନେ ଶୁକ୍ରବାର ଏକ ଭର୍ଚୁଆଲ୍‌ ସମ୍ମିଳନୀରେ ପରସ୍ପର ମଧ୍ୟରେ ଭାବ ଆଦାନପ୍ରଦାନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ ସେମାନଙ୍କ ମିଳିତ ସ୍ତମ୍ଭକୁ ଵାସିଂଟନ୍‌ ପୋଷ୍ଟ୍‌କୁ ପ୍ରଦାନ କରିଥିଲେ। ବିଭିନ୍ନ ଦେଶ କୌଣସି ପ୍ରକାର ଧମକ ବା ବାଧ୍ୟବାଧ୍ୟକତାରୁ ମୁକ୍ତ ରହି ନିଜର ରାଜନୈତିକ ପସନ୍ଦ ବାଛିପାରିବେ ବୋଲି ଏହି ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର