ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୩୯(ବି) ଅନୁଯାୟୀ ରାଜ୍ୟ ପୁନର୍ବଣ୍ଟନ ଅଧୀନରେ ସମସ୍ତ ଘରୋଇ ସମ୍ପତ୍ତି ‘ସମ୍ପ୍ରଦାୟର ବାସ୍ତବ ସମ୍ବଳ’ ଭାବରେ ବିବେଚିତ ହୋଇପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମ୍କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ଖଣ୍ଡପୀଠ ଏହି ଧାରଣା ବିରୋଧରେ ୮-୧ରେ ରାୟ ଶୁଣାଇ କହିଛନ୍ତି ଯେ ରାଜ୍ୟ ସରକାରମାନେ ପୁନର୍ବଣ୍ଟନ ପାଇଁ ବ୍ୟକ୍ତିଗତ ସମ୍ପତ୍ତି ଦାବି କରିପାରିବେ ଏବଂ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁଥିବା ସମ୍ପତ୍ତି ହିଁ ଏହି ବର୍ଗରେ ଆସିପାରିବ।
ଜଷ୍ଟିସ୍ ନାଗରତ୍ନା ଆଂଶିକ ସହମତ, ଜଷ୍ଟିସ ଧୁଲିଆଙ୍କ ଭିନ୍ନମତ
ସମ୍ବିଧାନର ଧାରା ୩୯(ବି) ଓ ୩୧ସି ଅନୁଯାୟୀ ଘରୋଇ ସମ୍ପତ୍ତିକୁ ରାଜ୍ୟ ଅଧିଗ୍ରହଣ କରିବା ଉଚିତ ନୁହେଁ ବୋଲି ମୁମ୍ବାଇର ସମ୍ପତ୍ତି ମାଲିକ ସଂଘ ଭଳି ପକ୍ଷଙ୍କ ଯୁକ୍ତି ପରେ ଏହି ରାୟ ଆସିଛି। ସମ୍ବଳର ସମାନ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବାରେ ରାଜ୍ୟର ଭୂମିକାକୁ ସୁପ୍ରିମ୍କୋର୍ଟ ସ୍ୱୀକୃତି ଦେଇଥିବା ବେଳେ ସମ୍ବଳର ଯୋଗ୍ୟତା ଏହାର ପ୍ରକୃତି, ଅଭାବ, ଗୋଷ୍ଠୀ ପ୍ରଭାବ ଓ ଜନବିଶ୍ୱାସ ନୀତି ଭଳି କାରଣ ଉପରେ ନିର୍ଭର କରେ ବୋଲି ସ୍ପଷ୍ଟ କରିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠ ରାୟରେ କହିଛନ୍ତି, ବ୍ୟକ୍ତିଗତ ସମ୍ପତ୍ତି ‘ସମ୍ପ୍ରଦାୟର ବାସ୍ତବ ସମ୍ପଦ’ ସୃଷ୍ଟି କରିପାରେ, କିନ୍ତୁ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ପ୍ରତ୍ୟେକ ସମ୍ବଳକୁ ସମ୍ପ୍ରଦାୟର ବାସ୍ତବ ସମ୍ବଳ ବୋଲି କୁହାଯାଇପାରିବ ନାହିଁ।
ଜଷ୍ଟିସ୍ ହୃଷୀକେଶ ରାୟ, ଜଷ୍ଟିସ୍ ବିଭି ନାଗରତ୍ନା, ସୁଧାଂଶୁ ଧୁଲିଆ, ଜେବି ପାର୍ଦିୱାଲା, ମନୋଜ ମିଶ୍ର, ରାଜେଶ ବିନ୍ଦଲ, ସତୀଶ ଚନ୍ଦ୍ର ଶର୍ମା ଓ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଲିଖିତ ରାୟ ସହ ସଂଖ୍ୟାଗରିଷ୍ଠ ମତ ଦେଖିବାକୁ ମିଳିଥିଲା।
ପ୍ରଧାନ ବିଚାରପତି କହିଛନ୍ତି, ଏଥିରେ ୩ଟି ରାୟ ରହିଛି। ଗୋଟିଏ ମୋର, ଯେଉଁଥିରେ ଅନ୍ୟ ୬ ଜଣଙ୍କ ସମାନ ମତ ରହିଛି। ଅନ୍ୟଟି ଜଷ୍ଟିସ୍ ନାଗରତ୍ନାଙ୍କର ଯିଏ ଏଥିରେ ଆଂଶିକ ସହମତ। ତୃତୀୟଟି ଜଷ୍ଟିସ୍ ସୁଧାଂଶୁ ଧୁଲିଆଙ୍କ ମତ, ଯିଏ ଭିନ୍ନମତ ପୋଷଣ କରିଛନ୍ତି ବୋଲି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ପ୍ରତ୍ୟେକ ସମ୍ବଳକୁ କେବଳ ଏହାର ଭୌତିକ ଗୁଣ ଆଧାରରେ ଏକ ଗୋଷ୍ଠୀ ସମ୍ବଳ ଭାବରେ ବିବେଚନା କରାଯାଇପାରିବ ନାହିଁ। ରାଷ୍ଟ୍ରର ନିର୍ଦ୍ଦେଶାତ୍ମକ ନୀତିର ଧାରା ୩୯(ବି)ରେ ସାଧାରଣ କଲ୍ୟାଣ ପାଇଁ ଗୋଷ୍ଠୀ ସମ୍ବଳର ନିରପେକ୍ଷ ବଣ୍ଟନକୁ ସୁନିଶ୍ଚିତ କରିବାକୁ ରାଜ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଧାରା ୩୯(ସି)ରେ ନିର୍ଦ୍ଦେଶ ଦିଆଯାଇଛି ଯେ ଅର୍ଥନୈତିକ ବ୍ୟବସ୍ଥା ଜନସ୍ୱାର୍ଥର କୌଣସି କ୍ଷତିକୁ ଏଡ଼ାଇବା ସହିତ ସମ୍ପତ୍ତିର କେନ୍ଦ୍ରୀକରଣକୁ ରୋକିବା ଉଚିତ।