ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଲିରେ କଲେଜ ଛାତ୍ରୀ ନେହରା ହିରେମଥଙ୍କୁ ବର୍ବର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ନେହାଙ୍କ ପିତାଙ୍କ ସହ କଥା ହୋଇଛନ୍ତି। ଜଣେ ପୂର୍ବତନ ସହପାଠୀଙ୍କ ଦ୍ୱାରା ୨୩ ବର୍ଷୀୟା ଝିଅକୁ ଛୁରି ଭୁସି ହତ୍ୟା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ମାମଲାର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନେହାଙ୍କ ପିତା ତଥା କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରେମଥଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଥିଲେ।

Advertisment

ଗତ ଏପ୍ରିଲ ୧୮ ତାରିଖରେ ଅଭିଯୁକ୍ତ ଫୟାଜ ବିଭିବି କଲେଜ ପରିସରରେ ଏମ୍‌ସିଏ ଛାତ୍ରୀ ନେହାଙ୍କୁ ଆକ୍ରମଣ କରିଥିଲା। ଘଟଣାର ସିସିଟିଭି ଫୁଟେଜରେ ଫୟାଜ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ନେହାଙ୍କୁ ଏକାଧିକ ଥର ଛୁରିମାଡ଼ କରିଥିବା ରେକର୍ଡ ହୋଇଛି। ୨୩ ବର୍ଷୀୟ ଫୟାଜକୁ ମଧ୍ୟ ଗିରଫ କରାଯାଇଛି। କଲେଜ କର୍ତ୍ତୃପକ୍ଷ ଏବଂ ଅନ୍ୟ ଛାତ୍ରମାନେ ନେହାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ରାଜ୍ୟ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍ କେ ପାଟିଲ ମଙ୍ଗଳବାର ହୁବଲିରେ ନିରଞ୍ଜନଙ୍କୁ ତାଙ୍କ ବାସଭବନରେ ଭେଟିଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଫୋନ୍‌ରେ କଥା ହୋଇ ନ୍ୟାୟ ପ୍ରଦାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ନିରଞ୍ଜନ ତାଙ୍କ ପରିବାର ତରଫରୁ ସିଦ୍ଦରମୈୟାଙ୍କୁ ଧନ୍ୟବାଦ ଜଣାଇବା ସହ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ କହିଛନ୍ତି। ଯଦି କର୍ଣ୍ଣାଟକ ପୁଲିସ ତଦନ୍ତ କରିବାରେ ଅସମର୍ଥ, ତେବେ ରାଜ୍ୟ ସରକାର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ସେ ଦାବି କରିଛନ୍ତି।