ଡିଜିପିଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ବସିଗଲା ମୁଖ୍ୟମନ୍ତ୍ରୀଙ୍କ ପୁଅ

ବିଭିନ୍ନ ମହଲରୁ ଚନ୍ନିଙ୍କୁ ସମାଲୋଚନା

ଚଣ୍ଡୀଗଡ଼: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଇକବାଲ ପ୍ରୀତ ସିଂହ ସାହୋଟାଙ୍କ ସହ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ବସିବା ଲାଗି ନିଜ ପୁଅକୁ ଅନୁମତି ଦେଇଥିବାରୁ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ବିଜେପି ସମାଲୋଚନା କରିଛି। ଡିଜିପିଙ୍କ ସମେତ ବରିଷ୍ଠ ପୁଲିସ ଅଫିସରମାନଙ୍କ ବୈଠକରେ ପଛ ଧାଡ଼ିରେ ଡିଜିପିଙ୍କ ପଛକୁ ବସିଥିବା ଚରଣଜିତ୍ ସିଂହ ଚନ୍ନିଙ୍କ ପୁଅ ରିଦ୍ମଜିତ୍ ସିଂହଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଫଟୋ ସୂଚନା ଓ ଜନସମ୍ପର୍କ ବିଭାଗ ଦ୍ବାରା ରିଲିଜ୍ କରାଯାଇଥିଲା।

ପଞ୍ଜାବ ବିଜେପି ମୁଖ୍ୟ ଅଶ୍ବିନୀ ଶର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀ ଚନ୍ନି ଜଣେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ହିସାବରେ ନିୟମ କାନୁନ ଭଲଭାବେ ଜାଣିଛନ୍ତି। ସେ ପ୍ରଶାସନର ମର୍ଯ୍ୟାଦା ଓ ବିଶ୍ବସନୀୟତା ରକ୍ଷା କରିବା ଉଚିତ ଥିଲା। ବରିଷ୍ଠ ଅମଲାତନ୍ତ୍ରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଉଚ୍ଚସ୍ତରୀୟ ବୈଠକରେ ବସିବାକୁ ଅନୁମତି ଦେବା ଦୁର୍ଭାଗ୍ୟଜନକ ବୋଲି ଶର୍ମା କହିଛନ୍ତି। ଏ ବାବଦ ଫଟୋ ଭାଇରାଲ ହେବାପରେ ବିଭିନ୍ନ ମହଲ ଚନ୍ନିଙ୍କ କାର୍ଯ୍ୟକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର