ରାୟପୁର : ଛତିଶଗଡ ସରକାର ରାଜ୍ୟର ବିଦ୍ୟାଳୟଗୁଡ଼ିକ ପାଇଁ ଶନିବାର ‘ବ୍ୟାଗ୍‌ଲେସ୍ ଡେ’ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ଶନିବାର ଦିନ ଛାତ୍ରଛାତ୍ରୀମାନେ ବ୍ୟାଗ୍‌ ବିନା ସ୍କୁଲକୁ ଯିବେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ବ୍ୟାୟାମ, ଯୋଗ, କ୍ରୀଡା ପ୍ରତିଯୋଗିତା, ସାହିତ୍ୟ-ସାଂସ୍କୃତିକ କାର୍ଯ୍ୟକଳାପ, ବିଭିନ୍ନ କଳା ଶିକ୍ଷା ଆଦି କାର୍ଯ୍ୟକ୍ରମ କରାଯିବ। ସ୍କୁଲ ପିଲାମାନେ ଏଣିକି ପ୍ରତ୍ୟେକ ଶନିବାର ଦିନ ଖେଳକୁଦ ସାଙ୍ଗକୁ ଅନ୍ୟ ମାଧ୍ୟମରେ ଶିକ୍ଷାଲାଭ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ,
ବ୍ୟାବହାରିକ ତଥା ଆଖପାଖ ପରିବେଶ ସହିତ ଯୋଡିବା ପାଇଁ ବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏହି ନୂତନ ପଦକ୍ଷେପ ଦ୍ବାରା ପିଲାମାନଙ୍କର ବିଦ୍ୟାଳୟକୁ ଆସିବାର ଆଗ୍ରହ ବଢ଼ିବ ଏବଂ ଏହା ସେମାନଙ୍କୁ ବିଦ୍ୟାଳୟ ସହିତ ଅଧିକ ଯୋଡ଼ି ହେବାରେ ମଧ୍ୟ ସାହାଯ୍ୟ କରିବ। ପିଲାମାନେ ମନୋରଞ୍ଜନ କରିବା ସହିତ ନୂତନ ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ।

Advertisment

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି, ଶନିବାର ବିଦ୍ୟାଳୟରେ ପ୍ରାର୍ଥନା ସରିବା ପରେ ଯୋଗ, ବ୍ୟାୟାମ, କ୍ରୀଡା, ପରସ୍ପରଠାରୁ ଶିକ୍ଷା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନଶିକ୍ଷକମାନେ ମାସର ପ୍ରତ୍ୟେକ ଶନିବାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ ଯୋଜନା କରି‌ବେ ଏବଂ ଏହାକୁ ନୋଟିସ୍ ବୋର୍ଡରେ ଲଗାଇବେ।