ପଛକୁ ହଟିଲା ଚୀନ୍‌: ଗଲୱାନ ଘାଟିରୁ ଚୀନ୍‌ ସେନା ୨.୫ କିମି ପଛକୁ ହଟିଲା

ଉଚ୍ଚସ୍ତରୀୟ ସାମରିକ କଥାବାର୍ତ୍ତା ଜାରି ରହିବ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମା ବିବାଦର ସମାଧାନ ଆଶା ଆଜି ବଳବତ୍ତର ହୋଇଛି। ଲଦାଖ୍‌ ସୀମାର ଗଲୱାନ୍‌ ଘାଟି ଅଂଚଳରେ ଠୁଳ ହୋଇଥିବା ଚୀନ୍‌ ସୈନିକ ଆଜି ୨.୫ କିମି ପଛକୁ ହଟିଯାଇଛନ୍ତି। ନିକଟରେ ଅନୁଷ୍ଠିତ କମାଣ୍ଡରସ୍ତରୀୟ ବୈଠକରେ ଚୀନ୍‌ ସୀମାରେ ଅଧିକ ଉତ୍ତେଜନା ନ ବଢ଼ାଇ ତୁରନ୍ତ ଏପ୍ରିଲ ମାସରେ ଥିବା ସ୍ଥିତିକୁ ଫେରିଯିବାକୁ ଭାରତ ଦାବି କରିଥିଲା। ଆଜି ଚୀନ୍‌ ସୈନିକ ଅଚାନକ ୨.୫ କିମି ପଛକୁ ହଟିଯିବା ପରେ ପୂର୍ବ ଲଦାଖ୍‌ରେ ଉତ୍ତେଜନା ହ୍ରାସ ପାଇଛି। ଭାରତ ସୈନିକ ମଧ୍ୟ କିଛି ବାଟ ପଛକୁ ଫେରିଛନ୍ତି। ଲଦାଖ୍‌ ସୀମାରେ ଯେଉଁଠି ସର୍ବାଧିକ ଉତ୍ତେଜନା ଥିଲା ସେଠାରୁ ଚୀନ୍‌ ସୈନିକ ୨.୫ କିମି ପଛକୁ ହଟିଥିବାରୁ ଖୁବ୍‌ଶୀଘ୍ର ସୀମାରେ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଜୁନ୍‌ ୬ରେ ହୋଇଥିବା ବୈଠକ ସଫଳ ହୋଇଥିବାରୁ ଏବେ ପରବର୍ତ୍ତୀ ପର୍ଯ୍ୟାୟ ଉଚ୍ଚସ୍ତରୀୟ ସାମରିକ ବୈଠକ ପାଇଁ ପ୍ରସ୍ତୁତି ଚାଲିଛି। ଆଗକୁ ଏହି ପ୍ରକ୍ରିୟା‌ ଜାରି ରହିବ ବୋଲି ଉଭୟ ଦେଶର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆଜି ଉଭୟ ଦେଶର ସେନା ପଛକୁ ହଟିବା ସହ ଭାରୀ ଯୁଦ୍ଧାସ୍ତ୍ର ଏବଂ ପରିବହନ ଯାନଗୁଡ଼ିକୁ ମଧ୍ୟ ସୀମାରୁ ହଟାଇ ଦିଆଯାଇଛି। ଶାନ୍ତି ପ୍ରୟାସ ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ ବୋଲି କୁହାଯାଇଛି। ଡୋକଲାମ୍‌ ବିବାଦ ବେଳେ ଭାରତର ସଫଳ କୂଟନୀତିକ ରଣନୀତି ଆଗରେ ଚୀନ୍‌ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିବା ବେଳେ ଏଥର ପୂର୍ବ ଲଦାଖ୍‌ରେ ମଧ୍ୟ ଏହାର ଷଡ଼ଯନ୍ତ୍ର ବିଫଳ ହୋଇଛି। ଚୀନ୍‌ ସେନା ଏହି ଅଂଚଳରେ ଅନେକ ବାର ଅତିକ୍ରମଣ କରୁଥିଲେ ମଧ୍ୟ ପୂର୍ବରୁ ଏଭଳି ଉତ୍ତେଜନା କେବେ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର