ନୂଆ ଶିକ୍ଷା ନୀତିରେ ଚୀନ୍‌ ଭାଷାକୁ ହଟାଯାଇଛି

ନୂଆଦିଲ୍ଲୀ: ଗତ ବୁଧବାର କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର ଓ ରମେଶ ପୋଖରିଵାଲଙ୍କ ଦ୍ବାରା ଘୋଷିତ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିରେ ମାଧ୍ୟମିକ ବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ବିଦେଶୀ ଭାଷା ତାଲିକାରେ ଚୀନୀ ଭାଷା ‘ମାଣ୍ଡାରିନ୍‌’ ସ୍ଥାନ ପାଇନଥିବା ଜଣାଯାଇଛି। ବିଦ୍ୟାର୍ଥୀମାନେ ବିଶ୍ବସଂସ୍କୃତି ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଜ୍ଞାନ ଆହରଣ ପାଇଁ ଫରାସୀ, ଜର୍ମାନ, ଜାପାନୀ, ସ୍ପେନୀୟ, ରୁଷୀୟ, ପର୍ତ୍ତୁଗାଲୀ ଏବଂ ଥାଇ ଆଦି ଭାଷାକୁ ନିଜ ଆଗ୍ରହ ଅନୁସାରେ ପସନ୍ଦଯୋଗ୍ୟ ବିଷୟ ଭାବରେ ରଖିବାକୁ ଏହି ନୂତନ ଶିକ୍ଷାନୀତିରେ ପ୍ରାବଧାନ ରହିଛି।

ଅପରପକ୍ଷେ, ଗତବର୍ଷ ପ୍ରକାଶ ପାଇଥିବା ଏହି ଶିକ୍ଷାନୀତିର ଡ୍ରାଫ୍ଟ ସଂସ୍କରଣରେ ଅନ୍ୟ ବିଦେଶୀ ଭାଷା ସହିତ ଚୀନୀ ଭାଷା ମଧ୍ୟ ରହିଥିଲା। ତେବେ ଗତ ଜୁନ୍‌ ମାସରେ ଲଦାଖ ସୀମାରେ ଚୀନୀ ସେନା ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷ ଯୋଗୁଁ ସୃଷ୍ଟ ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ସରକାର ଉଦ୍ଦେଶ୍ୟମୂଳକ ଭାବେ ଚୀନୀ ଭାଷାକୁ ଜାତୀୟ ଶିକ୍ଷା ନୀତିରୁ ହଟାଇ ନେଇଥିବା ଚର୍ଚ୍ଚା ହେଉଛି।

ଉତ୍ତରାଖଣ୍ଡର ଲିପୁଲେଖ ଗିରିପଥ ଆଡ଼କୁ ଚୀନୀ ସେନାର ଏକ ବାହିନୀ ମାଡ଼ି ଆସୁଥିବା ଜଣାଯାଇଛି। ନିକଟରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ଉଭୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖାର ନିରପେକ୍ଷ ଇଲାକାରୁ ଉତ୍ତେଜନା ହ୍ରାସ ସହ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତ ହୋଇଛନ୍ତି। ସେହି କ୍ରମରେ ସୀମାର ସମ୍ଭାବ୍ୟ ଉତ୍ତେଜନା ସ୍ଥଳ ମାନଙ୍କରୁ ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ତେବେ ଏହି ଅବସରରେ କିଛି ଚୀନୀ ସେନା ଲିପୁଲେଖ ଗିରିପଥ ଅତିକ୍ରମ କରୁଥିବା ଖବର ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର