ସୁଫଳ ଦେଉଛି ଚୀନ୍‌ର କରୋନା ଟିକା

ନୂଆଦିଲ୍ଲୀ: ଚୀନ୍‌ର ପ୍ରମୁଖ ଭେଷଜ କମ୍ପାନି ସିନୋଭାକ୍ ବାୟୋଟେକ୍ ଲି. ପକ୍ଷରୁ ବିକଶିତ କରାଯାଉଥିବା ଦେଶର ପ୍ରଥମ କରୋନା ଟିକାର ନୈଦାନିକ ପରୀକ୍ଷଣ ସୁଫଳ ପ୍ରଦାନ କରୁଥିବା କମ୍ପାନି ପକ୍ଷରୁ କୁହାଯାଇଛି। ‘କରୋନାଭାକ୍’ ନାମକ ଏହି ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆଶାନୁରୂପ ଫଳାଫଳ ପ୍ରଦାନ କରଥିବା ବେଳେ ଚୂଡା଼ନ୍ତ ତଥା ତୃତୀୟ ପର୍ଯ୍ୟାୟ ପରେ ଏହାକୁ ସର୍ବସାଧାରଣ ବ୍ୟବହାର ପାଇଁ ଉପଯୋଗ କରାଯିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। କମ୍ପାନି ଏହାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୮ରୁ ୫୯ ବର୍ଷ ବୟସର ୭୪୩ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ସେମାନଙ୍କୁ ଦୁଇଟି ଥାକରେ ଉକ୍ତ ଟିକାର ପ୍ରୟୋଗ କରାଇଥିଲା ବୋଲି କମ୍ପାନିର ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ୱିଡଙ୍ଗ୍ ୟିନ୍ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କରୋନାଭୂତାଣୁର ପ୍ରତିରୋଧ ପାଇଁ ବିଶ୍ବରେ ମୋଟ ୧୨୦ଟି ଟିକା ବିକଶିତ ହୋଇଥିବା ବେଳେ ସେଥିରୁ ୧୦ଟିର ନୈଦାନିକ ପରୀକ୍ଷଣ ଜାରି ରହିଛି। ତେବେ ସେହି ୧୦ଟି ଭିତରୁ ଚୀନ୍‌ରେ ୫ ପ୍ରକାରର, ଆମେରିକାରେ ୪ ପ୍ରକାରର ଓ ୟୁକେରେ ଗୋଟିଏ ଟିକାର ମନୁଷ୍ୟ ଦେହରେ ବ୍ୟାବହାରିକ ପରୀକ୍ଷଣ ଜାରି ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ସେହିପରି ଚୀନ୍ ବିଶେଷଜ୍ଞମାନଙ୍କ ଦ୍ବାରା ଏକ ଭିନ୍ନ ନିଷ୍କ୍ରିୟ ଟିକାକୁ ମଧ୍ୟ ପରୀକ୍ଷାମୂଳକ ଭାବେ ମହାମାରୀ କୋଭିଡ୍–୧୯ ପାଇଁ ବିକଶିତ କରାଯାଇ ତାହା ପଶୁଙ୍କଠାରେ ପ୍ରୟୋଗ ପରେ ଆଶାନୁରୂପ ଫଳାଫଳ ମିଳିଛିା ‘ବିବିଆଇବିପି–କୋର୍ଭି’ ନାମକ ଏହି ଅନ୍ୟତମ ନୂତନ ଟିକା ମୂଷା, ଚୁଚୁନ୍ଦ୍ରା, ଘୁଷୁରି ଓ ଠେକୁଆଙ୍କ ପରି ବିଭିନ୍ନ ପଶୁଙ୍କ ଠାରେ ସଂକ୍ରମିତ ସାର୍ସ–କୋଭ୍–୨କୁ ପ୍ରତିହତ କରିବାରେ ବେଶ ଫଳପ୍ରଦ ହୋଇପାରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର