କୋଲକାତା: ନନ୍ଦିଗ୍ରାମର ବିଜେପି ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସିକ୍ୟୁରିଟି ଗାର୍ଡ ମୃତ୍ୟୁ ମାମଲାର ତଦନ୍ତ କରିବ ସିଆଇଡି। ଗତ ସପ୍ତାହରେ ମୃତ ସିକ୍ୟୁରିଟି ଗାର୍ଡଙ୍କ ପତ୍ନୀ ଏଫ୍ଆଇଆର୍‌ ଦରଜ କରିଥିଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଥିଲେ। ସିଆଇଡି ଅଧିକାରୀ କହିଛନ୍ତି, ଶୁଭେନ୍ଦୁ ଅଧିକାରୀଙ୍କ ସିକ୍ୟୁରିଟି ଗାର୍ଡ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ପତ୍ନୀଙ୍କ ଆବେଦନ ଉପରେ ଏହି ମାମଲାର ତଦନ୍ତ ହେବ।

Advertisment

୪୦ ବର୍ଷୀୟ ଶୁଭବ୍ରତ ଷ୍ଟେଟ୍ ଆର୍ମଡ ପୁଲିସ୍‌ର ଥିଲେ। ୨୦୧୫ ମସିହାରେ ରାଜ୍ୟ ମନ୍ତ୍ରୀ ଥିବାବେଳେ ତୃଣମୂଳ ସାଂସଦ ଶୁଭେନ୍ଦୁଙ୍କ ନିରାପତ୍ତା ଟିମ୍‌ରେ ସାମିଲ ହୋଇଥିଲେ ଶୁଭବ୍ରତ। ୨୦୧୮ରେ ସେ ପୂର୍ବ ମେଦିନୀପୁରର କାଂଥି ପୁଲିସ ବାରାକ୍‌ରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ। ଶୁଭବ୍ରତଙ୍କ ମୃତ୍ୟୁର ୩ ବର୍ଷ ପରେ ଏ ନେଇ ଶୁଭବ୍ରତଙ୍କ ପତ୍ନୀ ସୁପର୍ଣ୍ଣା ନିଜ ସ୍ବାମୀଙ୍କ ମୃତ୍ୟୁ ତଦନ୍ତ ଦାବି କରି କାଂଥି ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲେ ହେଁ ଏହି ମାମଲାର ତଦନ୍ତ ଭାର ସିଆଇଡିକୁ ଦିଆଯାଇଛି।