କିବ୍: ୟୁକ୍ରେନ୍ର ରାଜଧାନୀ କିବ୍ ନିକଟସ୍ଥ ଅନ୍ୟତମ ରଣନୀତିକ ଗୁରୁତ୍ବପୂର୍ଣ୍ଣ ସହର ମାକାରିଭ୍କୁ ରୁଷ୍ ସୈନିକ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ସହର ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇରେ ରୁଷ୍ ସେନାକୁ ସଫଳତା ମିଳିଛି। କିବ୍ର ସହରତଳି ଅଂଚଳ ଭାବେ ପରିଚିତ ମାକାରିଭ୍ ୟୁକ୍ରେନ୍ ହାତରୁ ଖସିଯିବା ପରେ ରାଜଧାନୀ କିବ୍ ପ୍ରତି ଭୟାନକ ବିପଦ ମାଡ଼ି ଆସୁଛି ଏବଂ ସପ୍ତାହକ ମଧ୍ୟରେ କିବ୍ର ପତନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ମାକାରିଭ୍ରେ ଭୀଷଣ ଲଢ଼େଇ ପରେ ୟୁକ୍ରେନ୍ ସୈନିକମାନଙ୍କୁ ରୁଷ୍ ସୈନିକ ସଂପୂର୍ଣ୍ଣ ହଟାଇବାରେ ସକ୍ଷମ ହୋଇଛନ୍ତି। ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏବେ କିବ୍କୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। ମାକାରିଭ୍ ସହର ରୁଷ୍ ଦଖଲକୁ ଯିବା ପରେ ୟୁକ୍ରେନ୍ ବାହିନୀ ଏକ ପ୍ରମୁଖ ରାଜପଥକୁ ନିଜ ନିୟନ୍ତ୍ରଣକୁ ନେଇ ଉତ୍ତର ପଶ୍ଚିମ କିବ୍ରେ ରୁଷ୍ ସୈନିକଙ୍କୁ ଆଗକୁ ବଢ଼ିବାରେ ରୋକିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ କିବ୍ ଅଭିମୁଖେ ଅଗ୍ରସର ହେଉଥିବା ରୁଷ୍ ବାହିନୀ ଉତ୍ତରପଶ୍ଚିମ କିବ୍ର କିଛି ଛୋଟ ସହର ବୁଚା, ହୋସ୍ତାମେଲ୍ ଏବଂ ଇରପିନକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନେବେ।
ଗତକାଲି ଓ ଆଜି ରୁଷ୍ ସେନା ବାୟୁ ଶକ୍ତି ଉପରେ ଅଧିକ ଫୋକସ୍ କରିଛି। ରୁଷ୍ ଗତ ୨ ଦିନ ମଧ୍ୟରେ ଯୁଦ୍ଧ ବିମାନ ଉଡ଼ାଣ ବଢ଼ାଇଛି। ଗତ ୨୪ ଘଣ୍ଟାରେ ରୁଷ୍ ୩୦୦ ଥର ଯୁଦ୍ଧ ବିମାନରୁ ଆକ୍ରମଣ କରିଛି। ୟୁଦ୍ଧ ଆରମ୍ଭଠାରୁ ଏଯାବତ୍ ରୁଷ୍ ୧୧୦୦ ଥର କ୍ଷେପଣାସ୍ତ୍ର ମାଡ଼ କରିଛି। ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ଅତି ଖରାପ୍ ସମୟ ଏବେ ମଧ୍ୟ ଆସିନାହିଁ। ରୁଷ୍ ନିଜର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରଗୁଡ଼ିକୁ ୟୁକ୍ରେନ୍ରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆଗକୁ ସ୍ଥିତି ଆହୁରି ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି ।
ଅନ୍ୟପକ୍ଷରେ ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲ୍ରେ ଆତ୍ମସମର୍ପଣ ପାଇଁ ରୁଷ୍ର ଦାବିକୁ ୟୁକ୍ରେନ୍ ପ୍ରତ୍ୟାଖ୍ୟାନ କରିବାଦ୍ବାରା ରୁଷ୍ ଆକ୍ରମଣ ଜୋରଦାର କରିଛି। ମାରିୟୁପୋଲ୍ ସହରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାପାଇଁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇଯାଇଛି ଏବଂ ଆସନ୍ତାକାଲି ସୁଦ୍ଧା ଏହା ରୁଷ୍ କବ୍ଜାକୁ ଚାଲିଯିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/fs54h65sf4h65sfh4f65h4hf65.jpg)