ଥାନାରେ ସବୁଠୁ ବେଶି ମାନବାଧିକାର ହନନ ହେଉଛି: ସିଜେଆଇ

ନୂଆଦିଲ୍ଲୀ: ଭାରତରେ ହାଜତ ନିର୍ଯାତନା ତଥା ପୁଲିସ ଅତ୍ୟାଚାର ଏବେ ବି ପ୍ରଚଳିତ ଅଛି ଏବଂ ଏପରିକି “ପ୍ରିଭିଲେଜ୍‌ଡ ବର୍ଗ ମଧ୍ୟ ଥାର୍ଡ ଡିଗ୍ରୀରୁ ବାଦ୍ ପଡ଼ୁନାହାନ୍ତି” ବୋଲି ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମଣ ରବିବାର କହିଛନ୍ତି। ମାନବିକ ଅଧିକାର ପ୍ରତି ବିପଦ ପୁଲିସ ଷ୍ଟେସନରେ ସର୍ବାଧିକ ବୋଲି ସିଜେଆଇ କହିଛନ୍ତି। ପୁଲିସର ମାତ୍ରାଧିକତାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଇନ ସହାୟତା ଲାଗି ରହିଥିବା ସାମ୍ବିଧାନିକ ଅଧିକାର ତଥା ମାଗଣା ଆଇନ ସହାୟତା ସେବା ଉପଲବ୍ଧତା ସମ୍ବନ୍ଧରେ ଲୋକମାନଙ୍କ ପାଖରେ ସୂଚନା ପହଞ୍ଚାଇବା ଆବଶ୍ୟକ ବୋଲି ପ୍ରଧାନବିଚାରପତି କହିଥିଲେ। ଜାତୀୟ ମାନବାଧିକାର କମିଶନଙ୍କ କହିବାନୁସାରେ, ୨୦୨୧ର ପ୍ରଥମ ପାଂଚ ମାସରେ ସମୁଦାୟ ୧,୦୬୭ ଲୋକ ହାଜତରେ ମୃତ୍ୟୁବରଣ କରିଥିଲେ। ବିହାରରେ ଏକ ହାଜତ ମୃତ୍ୟୁଜନିତ ଉତ୍ତେଜନା ଓ ଜଣେ ମହିଳା ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିବାର କିଛି ଦିନ ପରେ ସରକାର ଲୋକସଭାକୁ ସୂଚନା ଦେଇଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୩୪୮ ଜଣଙ୍କର ପୁଲିସ ହାଜତରେ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୦୨୦ ସୁଦ୍ଧା ଦଶନ୍ଧି ମଧ୍ୟରେ ବିଚାରବିଭାଗୀୟ ଏବଂ ପୁଲିସ ହାଜତରେ ଅତି କମ୍‌ରେ ୧୭,୧୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ନିୟମାନୁଯାୟୀ ପୁଲିସ ଗିରଫ କରି ଥାନାକୁ ଆଣିଥିବା ଜଣେ ଅଭିଯୁକ୍ତକୁ ହାଜତରେ ୨୪ ଘଣ୍ଟାରୁ ଅଧିକ ସମୟ ରଖିପାରିବ ନାହିଁ ଏବଂ ଜଣେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ସର୍ବାଧିକ ୧୫ ଦିନ ପର୍ଯ୍ୟନ୍ତ ହାଜତରେ ରଖିପାରିବ। ବିଚାରବିଭାଗୀୟ ହାଜତରେ ବିଚାର ଚାଲିଥିବା ଅଭିଯୁକ୍ତ ତଥା ଦୋଷୀ ସାବ୍ୟସ୍ତ ବ୍ୟକ୍ତି ରହିପାରନ୍ତି। ଏକ ପୁଲିସ ନିର୍ଯାତନା ବିରୋଧୀ ସଂସ୍ଥା ଏନ୍‌ସିଏଟିର ରିପୋର୍ଟ ଅନୁସାରେ ହାଜତ ମୃତ୍ୟୁ ପାଇଁ ୨୦୦୪ରୁ ୨୦୧୮ ମଧ୍ୟରେ କୌଣସି ପୁଲିସକୁ ଦୋଷୀ ସାବ୍ୟସ୍ତ କରାଯାଇନାହିଁ। କିନ୍ତୁ ଏହି ସମୟ ମଧ୍ୟରେ, ୫୦୦ ହାଜତ ମୃତ୍ୟୁ ବା ପୁଲିସ ହେପାଜତରେ ରିମାଣ୍ଡରେ ନିଆଯାଇଥିବା ବ୍ୟକ୍ତିଙ୍କ ନିଖୋଜ ମାମଲା ରୁଜୁ ହୋଇଥିଲା ଏବଂ ୫୪ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି)ର ତଥ୍ୟ ଅନୁଯାୟୀ, ୨୦୧୭ରେ ୩୩ ଜଣ ପୁଲିସ ଗିରଫ ହୋଇଥିବାବେଳେ ୨୭ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦିଆଯାଇଥିଲା। ୪୩ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ କରାଯାଇଥିଲେ ମଧ୍ୟ କେହି ଦୋଷୀ ସାବ୍ୟସ୍ତ ହୋଇନଥିଲେ। ଏନ୍‌ସିଆର୍‌ବିର ୨୦୧୯ ହିସାବ ଅନୁଯାୟୀ, ସେହିବର୍ଷ ୮୫ ଜଣଙ୍କ ହାଜତ ମୃତ୍ୟୁ ମାମଲା ରୁଜୁ ହୋଇଥିଲା କିନ୍ତୁ କୌଣସି ପୁଲିସ ଦୋଷୀ ସାବ୍ୟସ୍ତ ହୋଇନଥିଲେ ଯଦିଚ ଗୁଜରାଟର ୧୪ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଥିଲେ ଏବଂ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

୨୦୧୭ରେ ଏକ ସଂସଦୀୟ ପ୍ୟାନେଲ ଉତ୍ତରପ୍ରଦେଶରେ ସର୍ବାଧିକ ହାଜତ ବଳାତ୍କାର ମାମଲାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା, ​​ଯେଉଁଠାରେ ଦେଶର ୯୦%ରୁ ଅଧିକ ଏପରି ମାମଲା ରୁଜୁ ହୋଇଥିଲା। ୨୦୧୩ ପରେ ଏନ୍‌ସିଆର୍‌ବିର ଅଫିସିଆଲ୍ ୱେବ୍‌ସାଇଟ୍ ଏହା ଉପରେ ତଥ୍ୟ ଦେଇନାହିଁ। ଏହି ପ୍ୟାନେଲ୍ ୨୦୧୫ରୁ ଏ ସମ୍ପର୍କିତ ରିପୋର୍ଟ ଅନୁଧ୍ୟାନ କରି ଦେଖିଲେ ଯେ, ସର୍ବାଧିକ୯୫ଟି ପୁଲସ ହାଜତ ବଳାତ୍କାର ମାମଲା ଉତ୍ତରପ୍ରଦେଶରେ ଘଟିଥିବା ବେଳେ ତା’ ତଳକୁ ଉତ୍ତରାଖଣ୍ଡରେ ଦୁଇଟି ଏବଂ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏ ଘଟଣା ଘଟିଥିଲା। ୨୦୧୯ ମସିହାରେ ପୁଲିସ ହାଜତରେ ଅତି କମ୍‌ରେ ଚାରିଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର