ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀର ତାପମାତ୍ରା ଅସ୍ବାଭାବିକ ଭାବେ ହ୍ରାସ ପାଇଛି। ଏଥିସହିତ ଉତ୍ତର ଭାରତରେ ଶୀତର ଲହରୀ ଜାରି ରହିଛି। ଦିଲ୍ଲୀରେ ଆଜି ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରି ସେଲ୍ସିୟସକୁ ଖସି ଆସିଛି, ଯାହା କି ଗତ ୧୭ ବର୍ଷ ମଧ୍ୟରେ ନଭେମ୍ବର ମାସର ସର୍ବନିମ୍ନ ତାପମାତ୍ରା। ସେହିଭଳି ଜମ୍ମୁ-କାଶ୍ମୀର ଉପତ୍ୟକାରେ ଚଳିତ ଋତୁର ପ୍ରଥମ ତୁଷାରପାତ ହୋଇଛି।ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି। ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରିକୁ ଖସି ଆସିଛି। ୨୦୦୩ ନଭେମ୍ବରଠାରୁ ଦୀର୍ଘ ୧୭ ବର୍ଷ ମଧ୍ୟରେ ଚଳିତ ନଭେମ୍ବରରେ ସର୍ବନିମ୍ନ ତାପମାତ୍ରା ଦିଲ୍ଲୀରେ ରେକର୍ଡ କରାଯାଇଛି। ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରି ଥିଲାବେଳେ ସୋମବାର ଏହା ୬.୩ ଡିଗ୍ରିକୁ ଖସି ଆସିଛି। ୨୦୦୩ ମସିହା ନଭେମ୍ବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରି ରେକର୍ଡ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ଆଞ୍ଚଳିକ ମୁଖ୍ୟ କୁଲ୍ଦୀପ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଅପରପକ୍ଷେ, ୨୦୧୯ ନଭେମ୍ବରରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ କରାଯାଇଥିବାବେଳେ ୨୦୧୮ ନଭେମ୍ବରରେ ୧୦.୫ ଡିଗ୍ରି ଏବଂ ୨୦୧୭ ନଭେମ୍ବରରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ କରାଯାଇଥିଲା। ୧୯୩୮ ମସିହା ନଭେମ୍ବର ୨୮ରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୯ ଡିଗ୍ରି ରେକର୍ଡ କରାଯାଇଥିଲା ଯାହା କି ଦିଲ୍ଲୀର ନଭେମ୍ବର ମାସର ସର୍ବକାଳୀନ ସର୍ବନିମ୍ନ ତାପମାତ୍ରା ବୋଲି ଶ୍ରୀବାସ୍ତବ କହିଛନ୍ତି। ହିମାଳୟ ଅଞ୍ଚଳରୁ ଥଣ୍ଡା ପବନ ବହୁଥିବାରୁ ଦିଲ୍ଲୀର ତାପମାତ୍ରା ହ୍ରାସ ପାଇଛି।
ସେହିଭଳି ଜମ୍ମୁ-କାଶ୍ମୀରରେ ଚଳିତବର୍ଷ ପ୍ରଥମ କରି ତୁଷାରପାତ ହୋଇଛି। ଜମ୍ମୁ-କାଶ୍ମୀରର ଗୁଲ୍ମାର୍ଗ, ପହଲଗାମ୍, ଲଦାଖରେ ଆଜି ତୁଷାରପାତ ହୋଇଛି। ଶ୍ରୀନଗର-ଲେହ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉତ୍ତର କାଶ୍ମୀର ଗୁଲ୍ମାର୍ଗର ପ୍ରସିଦ୍ଧ ସ୍କି-ରିସୋର୍ଟ ରାସ୍ତାରେ ସର୍ବାଧିକ ୪ ଇଞ୍ଚ ଉଚ୍ଚର ବରଫ ଜମିଯାଇଛି।