ବିମାନ ଡେଣାରେ ଚଢ଼େଇ ବସା: ମାସ ମାସ ଧରି ଠିଆ ହୋଇଛି, ଧୂଳି ଝାଡ଼ୁଛନ୍ତି କଂପାନି

ନୂଆଦିଲ୍ଲୀ, ୫/୭: କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା କରାଯାଇଥିବା କଟକଣା ଧୀରେ ଧୀରେ ହଟୁଥିବା ବେଳେ ବିମାନ ଯାତ୍ରା ଲାଗି ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ବହୁ ଦିନ ଧରି ଠିଆ ହୋଇଥିବା ବିମାନଗୁଡ଼ିକୁ ପୁଣି ଥରେ ଚଲାଇବା ଲାଗି କଂପାନିଗୁଡ଼ିକ ଉଦ୍ୟମ ଆରମ୍ଭ କରିଛନ୍ତି। ଅନେକ ବିମାନ ଧୂଳିରେ ଭର୍ତ୍ତି ହୋଇଯାଇଥିବା ବେଳେ କିଛି ବିମାନରେ ଚଢ଼େଇ ବସା ମଧ୍ୟ କରିଛନ୍ତି। ସେଗୁଡ଼ିକୁ ଝାଡ଼ି ସଫା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସାରା ବିଶ୍ବର ବହୁ ବିମାନ କଂପାନି ଏହି ସ୍ଥିତି ଦେଇ ଗତି କରୁଛନ୍ତି। ଗତ ସପ୍ତାହରେ ଏୟାର ଫ୍ରାନ୍ସର ଏକ ବିମାନକୁ ଏକ ଟ୍ରାକ୍ଟର ଜରିଆରେ ଟାଣିଟାଣି ନେବା ପରେ ତାହାକୁ ସଫା କରାଯାଇଛି। ଯଦିଓ ଠିଆ ହୋଇଥିବା ବିମାନଗୁଡ଼ିକର ନିୟମିତ ମରାମତି କରାଯାଉଥିଲା କିନ୍ତୁ ହଠାତ୍‌ ସେଗୁଡ଼ିକୁ ଆକାଶକୁ ପଠାଇବା ସମ୍ଭବପର ନୁହେଁ। ଅନେକ ବ୍ୟବସ୍ଥା ବହୁଦିନ ଧରି ବନ୍ଦ ରହିଛି। ସେଗୁଡ଼ିକ ଠିକ୍ ଭାବେ ଚାଲୁଛି ନା ନାହିଁ ତାହାର ପରୀକ୍ଷା କରାଯିବ। ହାଇଡ୍ରଲିକ୍‌ରେ କେତେ ତେଲ ଅଛି ତାହାକୁ ଯାଞ୍ଚ କରିବାକୁ ପଡ଼ିବ। ଇଞ୍ଜିନକୁ ଠିକ୍ ଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ବିମାନର ସବୁ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟ କରୁଛି ବୋଲି ନିଶ୍ଚିତ କରିବା ଲାଗି ତାହାର ପରୀକ୍ଷାମୂଳକ ଉଡ଼ାଣ କରିବାକୁ ପଡ଼ିବ। ସବୁ ପରୀକ୍ଷାରେ ପାସ୍ ହେଲେ ବିମାନରେ ଯାତ୍ରୀ ସେବା ଯୋଗାଇ ଦିଆଯିବ।
ଫୁଟବଲ ପଡ଼ିଆରୁ ଅଧିକ ବଡ଼ ସ୍ଥାନରେ ଏୟାର ଫ୍ରାନ୍ସ ବିମାନଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ‌ଟେକ୍ନିସିଆନ୍‌ମାନେ ଦିନରାତି ସେଥିପାଇଁ କାର୍ଯ୍ୟ କରୁଛନ୍ତି। ମରାମତି କାର୍ଯ୍ୟରେ ନିୟୋଜିତ ହୋଇଥିବା ଟେକ୍ନିସିଆନ୍‌ମାନେ ବିଭିନ୍ନ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି। ଠିଆ ହୋଇଥିବା ବିମାନଗୁଡ଼ିକୁ ଆଣିବା ପରେ ଏହାର ଡେଣାରେ ଅନେକ ଚଢ଼େଇ ବସା ଥିବା ସେମାନେ ଦେଖିଥିଲେ। ପକ୍ଷୀମାନଙ୍କୁ ଘଉଡ଼ାଇବା ଲାଗି ଲାଉଡ୍‌ ସ୍ପିକର୍‌ ବ୍ୟବହାର କରିଥିଲେ। ବିମାନର ଇନ୍ଧନ ଟାଙ୍କିରେ ଫିମ୍ପି ଲାଗିଯାଇଥିବା ଏବଂ ଛୋଟ ଛୋଟ କିଟଗୁଡ଼ିକ ଏୟାର ସ୍ପିଡ୍ ସେନ୍‌ସର୍‌କୁ ଅଚଳ କରିଦେଇଛନ୍ତି। ଠିଆ ହୋଇଥିବା ବିମାନକୁ ପୁଣି ଥରେ ଉଡ଼ାଣ ପାଇଁ ପଠାଇବାକୁ ହେଲେ ସେଥିରେ ୨୦୦-୩୦୦ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ମାଇକ୍ରୋ କ୍ୟାମେରା, କମ୍ପ୍ୟୁଟର, ଡ୍ରୋନ୍ ଆଦିକୁ ବ୍ୟବହାର କରି ବିମାନରେ ଥିବା ତ୍ରୁଟି ଧରିବାକୁ ଟେକ୍ନିସିଆନ୍‌ମାନେ ଉଦ୍ୟମ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ବ୍ୟାପିବା ପରେ ବିଶ୍ବର ପ୍ରାୟ ସବୁ ଦେଶ ଆନ୍ତର୍ଜାତିକ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲେ। ଦେଶ ଭିତରେ ମଧ୍ୟ ବିମାନ ଉଡ଼ାଣ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଯେହେତୁ ବିମାନ ଚଲାଇବା ଏକ ବ୍ୟୟବହୁଳ ବ୍ୟାପାର ତେଣୁ ଯାତ୍ରୀ ଅଭାବକୁ ଦୃଷ୍ଟିରେ ରଖି ବହୁ କଂପାନି ସେମାନଙ୍କ ପାଖରେ ଥିବା ବିମାନକୁ ଠିଆ କରାଇବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଏତେ ସମୟ ସେଗୁଡ଼ିକ ଠିଆ ହେବ ବୋଲି ସେମାନେ କଳ୍ପନା ମଧ୍ୟ କରିନଥିଲେ। ଏବେ ଯେତେବେଳେ ସ୍ଥିତିରେ ଧୀରେ ଧୀରେ ସୁଧାର ହେବାରେ ଲାଗି ବିମାନ ଶିଳ୍ପ ପୁଣି ଥରେ ଅଣ୍ଟା ସଳଖି ଠିଆ ହେବାକୁ ଉଦ୍ୟମ ଆରମ୍ଭ କରିଛି। ଏହି ପ୍ରକ୍ରିୟାରେ ସେମାନଙ୍କ ସାମ୍ନାରେ ଦେଖାଦେଇଥିବା ପ୍ରଥମ ଆହ୍ବାନ ହେଉଛି କିଭଳି ବିମାନଗୁଡ଼ିକୁ ସଫା କରି ପୁଣି ଥରେ ସେଗୁଡ଼ିକୁ ଆକାଶରେ ଉଡ଼ିବା ଉପଯୋଗୀ କରିବେ।

ସମ୍ବନ୍ଧିତ ଖବର