ଡିଜେଲ ରପ୍ତାନି ଉପରେ କମ୍ପାନିଙ୍କ ଲାଭ ଟିକସ ବଢ଼ିଲା

ବିମାନ ଇନ୍ଧନ ରପ୍ତାନି ଉପରେ ପୁଣି ଟିକସ ଲାଗିଲା

ନୂଆଦିଲ୍ଲୀ : ସରକାର ଆଜି ଡିଜେଲ ରପ୍ତାନି ଉପରେ ହେଉଥିବା ଲାଭ ବାବଦ ଟିକସକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଟିକସ ଲିଟର ପିଛା ୫ ଟଙ୍କା ଥିବାବେଳେ ଆଜି ଏହାକୁ ୭ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି। ଏଥିସହିତ ବିମାନ ଇନ୍ଧନ (ଏଟିଏଫ୍‌) ରପ୍ତାନି ଉପରେ ପୁଣି ଟିକସ ଲାଗୁ କରିଛନ୍ତି। ଲିଟର ପିଛା ୨ ଟଙ୍କା ଟିକସ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଦେଶରେ ଉତ୍ପାଦିତ ଅଶୋଧିତ ତେଲ ଉପରେ ଟିକସ ଟନ ପିଛା ୧୩,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଚଳିତମାସରେ ସରକାର ବିମାନ ଇନ୍ଧନ ରପ୍ତାନି ଉପରେ ହେଉଥିବା ଲାଭ ବାବଦ ଟିକସକୁ ହଟାଇ ଦେଇଥିଲେ। ପୂର୍ବରୁ ଏହା ୧୭,୭୫୦ ଟଙ୍କା ରହିଥିଲା। ‌ତେଲ କମ୍ପାନିଙ୍କ ଲାଭ ବୃଦ୍ଧି ପାଇବା କାରଣରୁ ସରକାର ରପ୍ତାନି ଉପରେ ଟିକସ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୬ ମାସର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିବାରୁ ଦେଶରେ ଉତ୍ପାଦିତ ତେଲ ଉପରେ ଟିକସ ହ୍ରାସ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାର ପ୍ରଥମେ ଜୁଲାଇ ପହିଲାରେ ପେଟ୍ରୋଲ ଏବଂ ବିମାନ ଇନ୍ଧନ ଲାଭ ଉପରେ ଲିଟର ପିଛା ୬ ଟଙ୍କା ରପ୍ତାନି ଶୁଳ୍କ ଏବଂ ଡିଜେଲ ଉପରେ ୧୩ ଟଙ୍କା ଟିକସ ଲଗାଇଥିଲେ। ଜୁଲାଇ ୨୦ରେ ପେଟ୍ରୋଲ ଉପରେ ୬ ଟଙ୍କାର ରପ୍ତାନି ଶୁଳ୍କକୁ ଉଚ୍ଛେଦ କରିଥିଲେ ଏବଂ ବିମାନ ଇନ୍ଧନ ଓ ଡିଜେଲ ଉପରେ ଟିକସ ଲିଟର ପିଛା ଯଥାକ୍ରମେ ୪ ଟଙ୍କା ଏବଂ ୧୧ ଟଙ୍କାକୁ ହ୍ରାସ କରାଯାଇଥିଲା। ଏଥିରେ ଯଥାକ୍ରମେ ୨ ଟଙ୍କା ଲେଖାଏଁ ହ୍ରାସ କରାଯାଇଥିଲା। ଦେଶରେ ଉତ୍ପାଦିତ ଅଶୋଧିତ ତେଲ ଉପରେ ମଧ୍ୟ ଟିକସ ୨୩୨୫୦ ଟଙ୍କାରୁ ୧୭୦୦୦ ଟଙ୍କାକୁ କମାଯାଇଥିଲା। ଏହାପରେ ଅଗଷ୍ଟ ୨ରେ ଡିଜେଲ ଉପରେ ରପ୍ତାନି ଟିକସ ୫ ଟଙ୍କାକୁ କମ୍ କରାଯାଇଥିଲା ଏବଂ ବିମାନ ଇନ୍ଧନ ଉପରେ ଟିକସକୁ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଦେଶରେ ଉତ୍ପାଦିତ ଅଶୋଧିତ ତେଲ ଉପରେ ଟିକସ ଟନ ପିଛା ୧୭,୭୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର