‘ଲତାଙ୍କ ପରିବାରକୁ ବି କଂଗ୍ରେସ ଛାଡ଼ି ନଥିଲା’: ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତିଙ୍କ ଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଆକ୍ରମଣ କରିବାର କୌଣସି ବି ମଉକା ହାତଛଡ଼ା କରି ନ ଥିଲେ। ମୋଦୀ କହିଥିଲେ, ବାକ୍ ସ୍ବାଧୀନତା ଉପରେ କଂଗ୍ରେସ ଅନେକ ଭାଷଣ ଦେଉଥିବା ବେଳେ ସେ ସମସ୍ତଙ୍କୁ ମନେ ପକାଇଦେବାକୁ ଚାହାନ୍ତି ଯେ, କଂଗ୍ରେସ ସରକାର ଅମଳରେ ବୀର ସାବରକରଙ୍କ କବିତା ଆବୃତ୍ତି କରିବାରୁ ଲତା ମଙ୍ଗେସକରଙ୍କ ଭାଇଙ୍କୁ କଂଗ୍ରେସ ସରକାର ଅଲ୍‌ ଇଣ୍ଡିଆ ରେଡିଓ (ଏଆଇଆର୍‌) ଚାକିରିରୁ ବାହାର କରି ଦେଇଥିଲା।

ମୋଦୀ କହିଥିଲେ- ‘‘ଯେଉଁମାନେ ବ୍ୟକ୍ତି ସ୍ବାଧୀନତା ଉପରେ ଭାଷଣ ଦେଉଛନ୍ତି, ମୁଁ ସେମାନଙ୍କ ଇତିହାସ ଖୋଲିଦେବାକୁ ଚାହେଁ। ଲତା ମଙ୍ଗେସକରଙ୍କ ପରିବାର ଗୋଆରେ ରହୁଥିଲେ। ଦେଶ ଜାଣିବା ଦରକାର ଯେ କଂଗ୍ରେସ ସେମାନଙ୍କ ପରିବାର ପ୍ରତି କିପରି ବ୍ୟବହାର କରିଛି। ତାଙ୍କ ସାନଭାଇ ହୃଦୟନାଥ ମଙ୍ଗେସକରଙ୍କୁ ଅଲ୍‌ ଇଣ୍ଡିଆ ରେଡିଓ ଚାକିରିରୁ ବାହାର କରିଦିଆଗଲା। ତାଙ୍କର ଦୋଷ ହେଲା ସେ ବୀର ସାବରକରଙ୍କ ଦ୍ବାରା ଲିଖିତ ଏକ ଦେଶତ୍ମବୋଧକ କବିତା ଆବୃତ୍ତି କରିଥିଲେ।
‘‘ଏହା ତୁମର ବାକ୍ ସ୍ବାଧୀନତା? କଂଗ୍ରେସ ସରକାର ଅମଳରେ ଅନେକ ଅନ୍ୟାୟ ହୋଇଛି- କେବଳ ହୃଦୟନାଥଙ୍କ ପ୍ରତି ନୁହେଁ, ତାଲିକା କଲେ ବହୁତ ଲମ୍ବା ହେବ। ନେହେରୁଙ୍କୁ ସମାଲୋଚନା କରିବାରୁ ମଜରୁହ ସୁଲତାନପୁରୀ ଓ ପ୍ରଫେସର ଧରମପାଲଙ୍କୁ ଜେଲରେ ପୂରାଇ ଦିଆଯାଇଥିଲା। ଜରୁରୀ ପରିସ୍ଥିତି ସମୟରେ କିଶୋର କୁମାର ଇନ୍ଦିରା ଗାନ୍ଧିଙ୍କ ଆଗରେ ମୁଣ୍ଡ ନୁଆଁଇ ନ ଥିଲେ। ତେଣୁ ତାଙ୍କୁ ରେଡିଓରେ ଗାଇବାକୁ ବାରଣ କରାଯାଇଥିଲା। ଗୋଟିଏ ପରିବାର କଥାରେ ଅସହମତ ହେଲେ କିପରି ବାକ୍ ସ୍ବାଧୀନତା ଖର୍ବ କରାଯାଏ ଆମେ ଜାଣିଛୁ।’’ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର