କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସର ଆଜି ବଡ଼ ବିଜୟ ହୋଇଛି। ପ୍ରଥମ ଥର ପାଇଁ କଂଗ୍ରେସ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରବେଶ କରିବାରେ ସଫଳ ହୋଇଛି। ୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ହେଲେ ଆସନରେ ଜିତିବାରେ ସଫଳ ହୋଇନଥିଲା। ଚଳିତ ଉପନିର୍ବାଚନ ଜିତିବା ସହ କଂଗ୍ରେସ ବିଧାନସଭାରେ ଗୋଟିଏ ଆସନ ହାତେଇଛି। କଂଗ୍ରେସର ଏହି ବିଜୟ ଟିଏମ୍‌ସିକୁ ଶକ୍ତ ଝଟ୍‌କା ଦେଇଛି।

Advertisment

ପଶ୍ଚିମବଙ୍ଗର ସାଗରଦିଘି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବେରୋନ ବିଶ୍ବାସ ନିର୍ବାଚନ ଜିତିଛନ୍ତି। ଟିଏମ୍‌ସି ପ୍ରାର୍ଥୀ ଦେବାଶିଷ ବାନାର୍ଜୀଙ୍କୁ ସେ ୨୨,୯୮୦ ଭୋଟ୍‌ରେ ହରାଇଛନ୍ତି। ଦେବାଶିଷ ବାନାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କୀୟ। ଅନ୍ୟପକ୍ଷେ ବିଜେପି ସାଗରଦିଘିରେ ଦିଲୀପ ଶାହଙ୍କୁ ପ୍ରାର୍ଥୀ କରିଥିଲା। ବିଶ୍ବାସ ନିର୍ବାଚନ ଜିତିବା ସହ କଂଗ୍ରେସ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରବେଶ କରିଛି। ତେବେ ଟିଏମ୍‌ସି ପ୍ରାର୍ଥୀଙ୍କ ପାଇଁ ଉଭୟ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ସାଗରଦିଘିରେ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ଟିଏମ୍‌ସିକୁ ସଫଳତା ମିଳିନାହିଁ। ୨୦୨୧ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ସୁବ୍ରତ ଶାହ ଏହି ଆସନରେ ୫୦ ପ୍ରତିଶତରୁ ଅଧିକ ଭୋଟ୍‌ରେ ଜିତିଥିଲେ। ୫୦ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ସେ ନିର୍ବାଚନ ଜିତିଥିଲେ। କିନ୍ତୁ ଆଜିର ନିର୍ବାଚନରେ ଟିଏମ୍‌ସି ଭୋଟ୍‌ ସେୟାର ୩୯ ପ୍ରତିଶତକୁ ହ୍ରାସ ହୋଇଛି। ୨୦୧୧ରେ ଶାହ ମୁର୍ଶିଦାବାଦ ଜିଲ୍ଲାର ପ୍ରଥମ ଟିଏମ୍‌ସି ନେତା ଭାବେ ଏହି ଆସନରୁ ଜିତିଥିଲେ। ପୂର୍ବରୁ ଏହି ଆସନ କଂଗ୍ରେସ ଏବଂ ବିଶେଷ କରି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ଗଡ଼ ଥିଲା। ୨୦୧୬ ଏବଂ ୨୦୨୧ରେ ମଧ୍ୟ ସେ ଉକ୍ତ ଆସନରେ ନିର୍ବାଚନ ଜିତିଥିଲେ। ୨୦୨୨ରେ ସୁବ୍ରତ ଶାହଙ୍କ ହୃଦ୍‌ଘାତରେ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ଦରକାର ପଡ଼ିଥିଲା।

ପରାଜୟକୁ ସ୍ବୀକାର କରି ଜଣେ ବରିଷ୍ଠ ଟିଏମ୍‌ସି ନେତା କହିଛନ୍ତି, ୨୦୨୧ରେ ଟିଏମ୍‌ସି ୯୦ ପ୍ରତିଶତ ସଂଖ୍ୟାଲଘୁ ଭୋଟ୍‌ ପାଇଥିଲା। ଚଳିତ ଥର ଆମ ଭୋଟ୍‌ ହ୍ରାସ ପାଇବ ବୋଲି ଆମେ ଆକଳନ କରିଥିଲୁ। କିନ୍ତୁ ଏତେ ପରିମାଣରେ‌ ଭୋଟ୍‌ ହ୍ରାସ ହେବ ବୋଲି ଆମେ ଆଶା କରିନଥିଲୁ। ସ୍କୁଲ ଚାକିରି ଦୁର୍ନୀତି ଏବଂ ପଞ୍ଚାୟତସ୍ତରୀୟ ଦୁର୍ନୀତି ଭୋଟରଙ୍କ ଉପରେ ପ୍ରଭାବ ପକାଇଛି ‌ବୋଲି ସେ କହିଛନ୍ତି। ତେବେ ବିଜେପି କଂଗ୍ରେସକୁ ଏହାର ଭୋଟ୍‌ ଦେଉଥିବା ଅଭିଯୋଗ କରି ମମତା କହିଛନ୍ତି, ପଶ୍ଚିମଙ୍ଗରେ ଅନୈତିକ ମେଣ୍ଟ ହୋଇଛି ଏବଂ ଚଳିତ ନିର୍ବାଚନରେ ଏହା ପଦାରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବିଧାନସଭା ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚନ ଉପରେ କୌଣସି ଖରାପ ପ୍ରଭାବ ପକାଇବନି। ଟିଏମ୍‌ସି ଲୋକଙ୍କ ସହ ମେଣ୍ଟ କରିବ ଏବଂ ବିଜେପି ସହ ଏକାକୀ ଲଢ଼ିବ। ଯେଉଁମା‌ନେ ବିଜେପିକୁ ହରାଇବାକୁ ଚାହୁଛନ୍ତି ସେମାନେ ଆମକୁ ଭୋଟ୍‌ ଦେବେ ଏବଂ ଯେଉଁମା‌ନେ କଂଗ୍ରେସ ଓ ସିପିଏମ୍‌କୁ ଭୋଟ୍‌ଦେବେ ଏହା ବାସ୍ତବରେ ବିଜେପିକୁ ହିଁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।