କୃଷି ବିଲ୍‌କୁ ବିରୋଧ କରି କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ

୨୫ଟି କୃଷକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ ଆଜି

ନୂଆଦିଲ୍ଲୀ : ବିବାଦୀୟ କୃଷି ବିଲ୍‌କୁ ବିରୋଧ କରି କଂଗ୍ରେସ ଆଜି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ୨୫ଟି କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି (ଶୁକ୍ରବାର) ଭାରତ ବନ୍ଦ ଡାକରା ଦିଆଯାଇଛି। ବିବାଦୀୟ କୃଷି ବିଲ୍‌କୁ ବିରୋଧ କରୁଥିବା ଦଳଗୁଡ଼ିକ ହେଉଛନ୍ତି କଂଗ୍ରେସ, ସିପିଆଇଏମ୍‌, ସିପିଆଇ, ଟିଏମ୍‌ସି, ଏନ୍‌ସିପି, ସମାଜବାଦୀ ପାର୍ଟି, ଶିବସେନା, ଆରଜେଡି, ଡିଏମ୍‌କେ, ଟିଆରଏସ୍‌, ଆପ୍‌, ଆଇୟୁଏମ୍‌ଏଲ୍‌। ଅନ୍ୟପକ୍ଷେ ବିଜେପି ଏମ୍‌ଏସ୍‌ପି ପ୍ରସଙ୍ଗରେ କୃଷକମାନଙ୍କ ଦ୍ବନ୍ଦ୍ବ ଦୂର କରିବାପାଇଁ ଏକ ବଡ଼ ଧରଣର ପ୍ରଚାର ଅଭିଯାନ ଆରମ୍ଭ କରିବ ବୋଲି ଯୋଜନା କରିଛି। ଆଜି ପଂଜାବର କେତେକ କୃଷକ ସଂଗଠନ ପକ୍ଷରୁ କୃଷି ବିଲ୍‌କୁ ବିରୋଧ କରି ରେଳରୋକ ଆନ୍ଦୋଳନ ହୋଇଛି। ଆସନ୍ତାକାଲିର ‘ଭାରତ ବନ୍ଦ’ ପାଇଁ ଭାରତୀୟ କୃଷକ ସଂଘ (ବିକେୟୁ) ଏବଂ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ କମିଟି (ଏଆଇକେଏସ୍‌ସିସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପଂଜାବ ଏବଂ ହରିୟାଣାରେ ୩୧ଟି କୃଷକ ସଂଗଠନ ବଡ଼ ଧରଣର ବିରୋଧ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର