ଲୋକସଭାରେ କଂଗ୍ରେସର ଦଳୀୟ ନେତା ବଦଳିବେ!

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଦଳର ନେତା ପଦରୁ ଅଧୀର ରଂଜନ ଚୌଧୁରୀଙ୍କୁ ହଟାଯିବାର ସମ୍ଭାବନା ରହିଛି। ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ୧୪ ତାରିଖରେ ସଂସଦରେ ସରକାରଙ୍କୁ ଘେରିବା ପାଇଁ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ନେତାମାନଙ୍କର ବୈଠକ ହେବ। ଏହି ବୈଠକରେ ଅଧୀରଙ୍କୁ ବିଦା କରାଯିବା ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଲୋକସଭାରେ ଦଳର ନେତା ପଦରୁ ଚୌଧୁରୀଙ୍କୁ ହଟାଯିବ ଏବଂ ସୋନିଆ ଗାନ୍ଧିଙ୍କୁ ନେତୃତ୍ବ ବଦଳାଇବା ପାଇଁ ଚିଠି ଲେଖିଥିବା ଭିନ୍ନ ଭିନ୍ନ ବ୍ୟକ୍ତି ଏହି ପଦବି ପାଇଁ ଦାବିଦାର ବୋଲି ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ରାହୁଲ ଗାନ୍ଧି ଲୋକସଭାରେ ଦଳର ନେତା ହେବେ ନାହିଁ ବୋଲି ସୂତ୍ରରୁ ପ୍ରକାଶ। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବ। ଯେଉଁମାନେ ଏହି ପଦବି ପାଇଁ ଦୌଡ଼ରେ ଅଛନ୍ତି ସେମାନଙ୍କ ମଧ୍ୟରେ ଶଶୀ ଥରୁର ଏବଂ ମନୀଷ ତିୱାରୀ ଅନ୍ୟତମ। ଗୌରବ ଗୋଗୋଇ, ରବନୀତ ସିଂ ବିଟୁ ଏବଂ ଉତ୍ତମ କୁମାର ରେଡ୍ଡୀଙ୍କ ନାମ ମଧ୍ୟ ବିଚାରକୁ ନିଆଯାଉଛି।

ଶ୍ରୀ ଥରୁର ଓ ତିୱାରୀ ୨୩ ଜଣ ନେତାଙ୍କ ଭିତରେ ଅଛନ୍ତି, ଯେଉଁମାନେ ଗତବର୍ଷ ଅଗଷ୍ଟରେ ଦଳରେ ସାଂଗଠନିକ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ଦଳରେ ଝଡ଼ ସୃଷ୍ଟି କରିଥିଲା ​​ଏବଂ ଦଳୀୟ ପଦପଦବିରେ ଥିବା ଅନେକ ନେତା ଶେଷରେ ସେମାନଙ୍କ ପଦ ହରାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରମୁଖ ବ୍ୟକ୍ତି ଥିଲେ କଂଗ୍ରେସ ଭେଟେରାନ ଗୁଲାମ ନବୀ ଆଜାଦ, ଯାହାଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ ପଦ ଛାଡିବାକୁ ପଡ଼ିଥଲା, ଯଦିଓ ସେ ଦଳର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ପ୍ୟାନେଲ କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ ଅଛନ୍ତି। ଏଆଇସିସିର ସାଧାରଣ ସମ୍ପାଦକ ପଦରୁ ମୋତିଲାଲ ଭୋରା, ଅମ୍ବିକା ସୋନି ଏବଂ ମଲ୍ଲିକାର୍ଜୁନ ଖାଡ୍‌ଗେଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା। ଦୀର୍ଘ ଦିନ ଧରି ଶ୍ରୀ ଚୌଧୁରୀଙ୍କ ଅପସାରଣକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ପାର୍ଟି ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ‘ଜଣେ ବ୍ୟକ୍ତି ଗୋଟିଏ ପଦବି’ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ଶ୍ରୀ ଚୌଧୁରୀ ଉଭୟ ବଙ୍ଗଳା କଂଗ୍ରେସର ମୁଖ୍ୟ ତଥା ଲୋକସଭାରେ ଦଳର ନେତା। ଦୁଇଟି ପଦବି ଧାରଣ କରିଥିବା ଅନ୍ୟମାନଙ୍କୁ ମଧ୍ୟ ଗୋଟିଏ ପଦବି ଛାଡ଼ିବାକୁ ପଡ଼ିବ ବୋଲି ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର