ବିଦେଶୀ ଟ୍ବିଟ୍‌କୁ ନେଇ ବିବାଦ ବଢ଼ୁଛି

ନୂଆଦିଲ୍ଲୀ: ଭାରତରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କାନାଡା, ଆମେରିକା ଏବଂ ବ୍ରିଟେନ୍‌ର ପ୍ରତିକ୍ରିୟା ଏବେ ବିଭ୍ରାନ୍ତି ବଢ଼ାଉଥିବା ବେଳେ କେତେକ ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ୍‌କୁ ନେଇ ମଧ୍ୟ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଚାଷୀ ଆନ୍ଦୋଳନ ନେଇ ଉତ୍ତେଜକ ବୟାନ ବିରୋଧରେ ଭାରତ ସରକାର ମଧ୍ୟ ଆଭିମୁଖ୍ୟ କଠୋର କରିଛନ୍ତି ଏବଂ ବିବାଦୀୟ ଟ୍ବିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ବିଟର୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଦେଶୀ ରାଷ୍ଟ୍ରମାନଙ୍କ ସମର୍ଥନ ପ୍ରସଙ୍ଗରେ ସରକାର କହିଛନ୍ତି ଯେ ଭାରତୀୟ ବଂଶୋଦ୍ଭବଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଗ ବିଭିନ୍ନ ରାଷ୍ଟ୍ରରେ ସେମାନଙ୍କ ବିରୋଧ ପ୍ରଦର୍ଶନ କରୁଛନ୍ତି ଏବଂ ଏଭଳି ବିରୋଧକୁ ସଂପୃକ୍ତ ରାଷ୍ଟ୍ରର ସରକାରଙ୍କ ବିରୋଧ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ ।

ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୂରଲୀଧରନ କହିଛନ୍ତି ଯେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଚାଷୀ ଆନ୍ଦୋଳନକୁ ନେଇ ଏକ ବୟାନ ରଖିଥିଲେ ଏବଂ ଭାରତ ଏହାକୁ ଜୋର୍‌ଦାର ବିରୋଧ କରି ପ୍ରତିବାଦ ଜଣାଇଥିଲା। ଭାରତର ଆଭ୍ୟନ୍ତରୀଣ ମାମଲାରେ ଏଭଳି ବୟାନ କଦାପି ଗ୍ରହଣୀୟ ହେବନାହିଁ ଏବଂ ଏହା ଭାରତ-କାନାଡା ଦ୍ବିପାକ୍ଷିକ ସଂପର୍କକୁ ଗୁରୁତର ପ୍ରଭାବିତ କରିବ ବୋଲି ଭାରତ ଚେତାଇ ଦେଇଥିଲା। ଏହି ପ୍ରସଙ୍ଗରେ ଭାରତ କାନାଡାର ରାଷ୍ଟ୍ରଦୂତଙ୍କୁ ମଧ୍ୟ ସମନ କରିଥିଲା। ଅନ୍ୟପକ୍ଷରେ ଆମେରିକାରେ ମଧ୍ୟ କେତେକ ପ୍ରଭାବଶାଳୀ ସିନେଟର ଏହି ପ୍ରସଙ୍ଗ ଉଠାଇବା ସହ ଚାଷୀ ଆନ୍ଦୋଳନ ନେଇ ସେମାନଙ୍କ ଉଦ୍‌ବେଗ ପ୍ରକଟ କରିଛନ୍ତି। ବ୍ରିଟେନ୍‌ରେ ୩୬ ଜଣ ସାଂସଦ ବିଦେଶ ମନ୍ତ୍ରୀ ଡୋମିନିକ୍‌ ରାବ୍‌ଙ୍କୁ ଗତମାସରେ ପତ୍ର ଲେଖି ଏ ବାବଦରେ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର