ଦେଶରେ କରୋନା ମୃତ୍ୟୁହାର ୨ ପ୍ରତିଶତରୁ କମ୍‌, ୪ ଦିନ ପରେ ସଂକ୍ରମଣ ମାମଲା ୫୫ ହଜାରରୁ କମ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ମୃତ୍ୟୁହାର କମ୍‌ ରହିଛି। ଆରୋଗ୍ୟ ହାର ୭୦ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୨ ପ୍ରତିଶତରୁ କମ୍‌ ରହିଛି। ଅଧିକ ଲୋକ କରୋନାରୁ ସୁସ୍ଥ ହେବା ସହ ଆରୋଗ୍ୟଙ୍କ ସଂଖ୍ୟା ୧୫ ଲକ୍ଷ ୮୩ ହଜାର ୪୮୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୭ ହଜାର ୭୪୬ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଜାତୀୟ ଆରୋଗ୍ୟ ହାର ୬୯.୮୦ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଏବେ ୬ ଲକ୍ଷ ୩୯ ହଜାର ୯୨୯ ସକ୍ରିୟ ମାମଲା ରହିଛି । ମୋଟ୍‌ ମାମଲାର ଏହା ମାତ୍ର ୨୮.୨୧ ପ୍ରତିଶତ। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୬୦ ହଜାରରୁ ଅଧିକ ରହିବାପରେ ଗତକାଲି ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୫୫ ହଜାରରୁ କମ୍‌ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୬୦୧ ନୂଆ ମାମଲା ଚିହ୍ନଟ ହୋଇଥିବ‌ାବେଳେ ୮୭୧ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୨୨ ଲକ୍ଷ ୬୮ ହଜାର ୬୭୫କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୪୫ ହଜାର ୨୫୭ ପହଞ୍ଚିଛି। ମୃତ୍ୟୁହାର ଏବେ ୧.୯୯ ପ୍ରତିଶତ ରହିଛି।

ବିଶ୍ବରେ ରେକର୍ଡ କରାଯାଇଥିବା ନୂଆ ସଂକ୍ରମଣ ମାମଲାର ୨୯ ପ୍ରତିଶତ ଏବଂ ମୃତ୍ୟୁ ମାମଲାର ୨୧ ପ୍ରତିଶତ ଭାରତରୁ ରେକର୍ଡ କରାଯାଇଛି ବୋଲି ଜଣାପଡ଼ିଛି। ଚଳିତ ମାସରେ ଭାରତର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ ରହିଛି। ଅଗଷ୍ଟ ମାସର ପ୍ରଥମ ୯ ଦିନରେ ଭ‌ାରତରେ ମୋଟ୍‌ ୫ ଲକ୍ଷ ୧୯ ହଜାର ୩୫୧ ମାମଲା ଚିହ୍ନଟ ହୋଇଥିବା ବେ‌ଳେ, ଆମେରିକାରେ ୪ ଲକ୍ଷ ୯୩ ହଜାର ୩୭୬ ଏବଂ ବ୍ରାଜିଲ୍‌ରେ ମୋଟ୍‌ ୩ ଲକ୍ଷ ୬୯ ହଜାର ୨୮୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ଭାରତରେ ସଂକ୍ରମଣ ମାମଲା ଗତ ୨ ସପ୍ତାହ ମଧ୍ୟରେ ଅଚାନକ ବଢ଼ିଯାଇଛି। ଦେଶରେ ସଂକ୍ରମଣ ମାମଲା ୧୦ ଲକ୍ଷରୁ ୨୨ ଲକ୍ଷ ହେବାପାଇଁ ୨୪ ଦିନ ଲାଗିଯାଇଛି। ଜୁଲାଇ ୧୭ରେ ଭାରତରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଲା। ତେବେ ଅଗଷ୍ଟ ୭ରେ ଏହି ସଂଖ୍ୟା ୨୦ ଲକ୍ଷ ୨୭ ହଜାର ଅତିକ୍ରମ କରିଯାଇଥିଲା। ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷ ପହଞ୍ଚିବାପାଇଁ ୧୧୦ ଦିନ ଲାଗିଥିଲା। ଜୁନ୍‌ ୩ରେ ସଂକ୍ରମଣ ମାମଲା ୨ ଲକ୍ଷରେ ପହଞ୍ଚିଥିଲା। ପରବର୍ତ୍ତୀ ୧୮ ଦିନ ମଧ୍ୟରେ ଏହା ୪ ଲକ୍ଷ ପହଞ୍ଚିଲା। ଜୁଲାଇ ୧୭ରେ ମାମଲା ୧୭ ଲକ୍ଷ ଅତିକ୍ରମ କଲା ଏବଂ ଜୁଲାଇ ୨୯ରେ ଏହା ୧୫ ଲକ୍ଷ, ଅଗଷ୍ଟ ୭ରେ ୨୦ ଲକ୍ଷ ଅତିକ୍ରମ କରିଛି।

ସମ୍ବନ୍ଧିତ ଖବର