ଦେଶରେ କରୋନାର ଭୟାନକ ରୂପ, ସ୍ପେନ୍‌କୁ ପଛରେ ପକାଇ ପଞ୍ଚମ ସ୍ଥାନରେ

ତିନି ଦିନରେ ପ୍ରାୟ ୩୦ ହଜାର ଚିହ୍ନଟ, ୭ ସହରରେ ୬୦% ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ବିଗତ ୩ ଦିନ ମଧ୍ୟରେ ପ୍ରାୟ ୩୦ ହଜାର ମାମଲା ଚିହ୍ନଟ ହୋଇଥିବାରୁ ଆଗକୁ ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରାଯାଉଛି। ଶନିବାର ପ୍ରାୟ ୧୦ ହଜାର ନୂଆ ମାମଲା ସାମ୍ନାକୁ ଆସିବା ସହ ଦେଶରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ଅତିକ୍ରମ କରିଯାଇଛି। ଏହି ସଂଖ୍ୟା ସହ ଭାରତ ସ୍ପେନ୍‌ (୨,୪୧,୩୧୦)କୁ ପଛରେ ପକାଇ ବିଶ୍ବରେ ସର୍ବାଧକ କରୋନା ପ୍ରଭାବିତ ରାଷ୍ଟ୍ର ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚି ଯାଇଛି। ଏବେ ଆମେରିକାରେ ୧୯ ଲକ୍ଷରୁ ଅଧିକ ସଂକ୍ରମିତ ଥିବା ବେଳେ ବ୍ରାଜିଲରେ ୬ ଲକ୍ଷ, ରୁଷ୍‌ରେ ୪ ଲକ୍ଷ ୬୦ ହଜାର ଏବଂ ବ୍ରିଟେନ୍‌ରେ ୨ ଲକ୍ଷ ୮୬ ହଜାର ସଂକ୍ରମିତ ଅଛନ୍ତି। ଏହି ୪ ରାଷ୍ଟ୍ର ଭାରତଠାରୁ ଆଗରେ ଥିବା ବେଳେ ଏଭଳି ସଂକ୍ରମଣ ହାର ଜାରି ରହିଲେ ଭାରତ ୫ ଦିନ ମଧ୍ୟରେ ବ୍ରିଟେନ୍‌କୁ ଟପିଯିବ ବୋଲି ଆଶଙ୍କା କରାଯାଉଛି। ବିଗତ ୨୪ ଘଣ୍ଟାରେ ଦେଶରେ ୨୯୭ କରୋନା ମୃତ୍ୟୁ ହୋଇଛି ଏବଂ ଏହା ଏ ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ବୋଲି ଜଣାପଡ଼ିଛି।

ଦେଶରେ ମୋଟ କରୋନା ସଂକ୍ରମଣର ଅଧା ମାମଲା କେବଳ ୪ଟି ମହାନଗର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ରହିଛି। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ ୭ ହଜାରରେ ପହଞ୍ଚିବାକୁ ଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ ଦେଶରେ ପ୍ରାୟ ୧ ଲକ୍ଷ ୧୬ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ଏବଂ ୧ ଲକ୍ଷ ୧୪ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦେଶରେ ଆରୋଗ୍ୟ ହାର ୪୮.୨୦ ରହିଛି ଏବଂ ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳାନାରେ ଭାରତର ସ୍ଥିତି ବହୁତ ଭଲ ରହିଛି। କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୨୮୫୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟରେ ୧୧୯୦ ଲୋକଙ୍କ ମୃତ୍ୟୁ ଘଟିଛି।

ତିନି ଦିନରେ ପ୍ରାୟ ୩୦ ହଜାର ଚିହ୍ନଟ, ୭ ସହରରେ ୬୦% ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପରି ମେଟ୍ରୋ ସହରରେ ଦେଶର ଅର୍ଦ୍ଧାଧିକ ମାମଲା ଚିହ୍ନଟ ହୋଇଥିବାରୁ ସରକାର ସେଠାରେ ସର୍ବାଧିକ ସତର୍କତା ଉପେର ଗୁରୁତ୍ବାରୋପ କରିଛନ୍ତି। ଏଥିସହ ଅହମଦାବାଦ୍‌, ଇନ୍ଦୋର ଏବଂ ପୁନେରେ ମଧ୍ୟ ସଂକ୍ରମଣ ଅଧିକ ରହିଛି। ଉପରୋକ୍ତ ୭ଟି ସହରରୁ ମୋଟ୍‌ ୬୦ ପ୍ରତିଶତ ମାମଲା ଚିହ୍ନଟ ହୋଇଛି ଏବଂ ୮୦ ପ୍ରତିଶତରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି। ଦେଶରେ ମୁମ୍ବାଇ ସର୍ବାଧିକ ପ୍ରଭାବିତ ସହର ହୋଇଥିବାବେଳେ ଦିଲ୍ଲୀ ଏବଂ ‌ଚେନ୍ନାଇ ମଧ୍ୟ ପ୍ରଭାବିତ। ଏବେ ମୁମ୍ବାଇ ହେଉଛି ଦେଶର କୋଭିଡ୍‌ ହଟ୍‌ସ୍ପଟ୍‌। ଏଠାରେ ଦେଶର ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ଅନ୍ୟ ସହର ତୁଳନାରେ କୋଲକାତାରେ ସଂକ୍ରମଣ କମ୍ ରହିଥିଲେ ବି ଗତ କିଛି ଦିନ ଧରି ଏଠାରେ ହଠାତ୍‌ ସଂକ୍ରମଣ ବଢ଼ିଯାଇଛି। ଉପରୋକ୍ତ ୭ଟି ସହରରୁ ମୋଟ୍‌ ୧.୪୧ ଲକ୍ଷ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ ୫,୬୬୫ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର