ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦାବି: କରୋନା ଭୂତାଣୁ ଚୀନ୍‌ର ରାକୁନ୍‌ କୁକୁରଠାରୁ ବ୍ୟାପିଛି

ନୂଆଦିଲ୍ଲୀ : ଚୀନର ଉହାନ ସହର କରୋନା ମହାମାରୀର ଉତ୍ପତ୍ତି ସ୍ଥଳ । ତେବେ ‌କାହାଠାରୁ ଏହା ମଣିଷ ଶରୀରକୁ ବ୍ୟାପିଛି ବା ମୂଳ ଉତ୍ସକୁ କ’ଣ ତାହାକୁ ନେଇ ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। କିଛି ବିଶେଷଜ୍ଞ ଏହି ଭୂତାଣୁ ବାଦୁଡ଼ିଠାରୁ ବ୍ୟାପିଥିବା କହୁଥିବାବେଳେ ଆମେରିକାର ଶକ୍ତି ବିଭାଗର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏହା ଉହାନର ଏକ ଭାଇରୋଲୋଜି ଲାବୋରେଟୋରିରୁ ଦୁର୍ଘଟଣାବଶତଃ ଲିକ୍ ହୋଇଥିବା କୁହାଯାଇଥାଏ।

ଏହାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିବାବେଳେ ଏବେ ଏକ ନୂଆ ତଥ୍ୟ ଆଲୋଚନାର ପରିସରକୁ ଆସିଛି। ହୁଆନାନର ଏକ ସାମୁଦ୍ରିକ ଖାଦ୍ୟ ବଜାରରୁ ସଂଗୃହୀତ ଜିନ୍‌ ନମୁନା ବିଶ୍ଳେଷଣରୁ ସାର୍ସ-କୋଭ୍‌-୨ ଭୂତାଣୁ ସେଠାରେ ବିକ୍ରି ହେଉଥିବା ଏକ ପ୍ରକାର ପ୍ରାଣୀ ଯାହାର ନାମ ରାକୁନ ଡଗ୍‌ରୁ ବ୍ୟାପିଛି ବୋଲି କୁହାଯାଇଛି।

ଗୁରୁବାର ନ୍ୟୁୟର୍କ ଟାଇମ୍ସରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ଚୀନ କର୍ତ୍ତୃପକ୍ଷ ବଜାର ବନ୍ଦ କରିବା ପରେ ହୁଆନାନ୍ ସାମୁଦ୍ରିକ ଖାଦ୍ୟ ପାଇକାରୀ ବଜାର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରୁ ୨୦୨୦ ଜ‌ାନୁଆରିରେ ସ୍ବାବ ସଂଗ୍ରହ ହୋଇଥିଲା। ବଜାରରୁ ସେହି ସମୟରେ ଯଦିଓ ରାକୁନ କୁକୁରକୁ ହଟାଇ ନିଆଯାଇଥିଲା ଗବେଷକମାନେ ସେହି ପ୍ରାଣୀ ରହୁଥିବା ଘରୁ, ସେମାନଙ୍କୁ ପରିବହନ ପାଇଁ ବ୍ୟବହୃତ ହୋଇଥିବା ଗାଡ଼ି ଆଦିରୁ ସ୍ବାବ ସଂଗ୍ରହ କରିଥିଲେ। ସେହି ସ୍ବାବ କରୋନା ପଜିଟିଭ ଆସିଥିଲା। ‌ସେହି ସଂଗୃହୀତ ସ୍ବାବ୍‌ର ଜିନୀୟ ତଥ୍ୟ ରାକୁନ ଡଗ୍ ର ଜିନ୍ ସହିତ ମେଳ ଖାଇଥିଲା ବୋଲି ଗବେଷଣାରେ ସାମିଲ ତିନି ଜଣ ବୈଜ୍ଞାନିକ କହିଛନ୍ତି।

Wallpaper Flare

ତେବେ ରାକୁନ ଡଗ୍‌ ଯଦି ବି ସଂକ୍ରମିତ ହୋଇଥାଏ ତା’ହେଲେ ସେହି ପ୍ରାଣୀଠାରୁ ଏହା ମଣିଷକୁ ବ୍ୟାପିଥିବା କୁହାଯାଇ ପାରିବ ନାହିଁ। ଅନ୍ୟ କୌଣସି ପ୍ରାଣୀ ଜରିଆରେ ଏହା ମନୁଷ୍ୟ ନିକଟକୁ ଆସିଥାଇପାରେ। ଏହାବ୍ୟତୀତ ସଂକ୍ରମିତ ହୋଇଥିବା ଅନ୍ୟ କୌଣସି ପ୍ରାଣୀ ରାକୁନ ଡଗ୍‌କୁ ସଂକ୍ରମିତ କରିଥାଇପାରେ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ କୌଣସି ବନ୍ୟପ୍ରାଣୀଠାରୁ ଏହି ଭୂତାଣୁ ମନୁଷ୍ୟକୁ ବ୍ୟାପିଥିବାର ବଳିଷ୍ଠ ଯୁକ୍ତି ରହିଛି। ଏହି ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳରେ ଏରିଜୋନା ବିଶ୍ବବିଦ୍ୟାଳୟର ବିବର୍ତ୍ତନବାଦୀ ଜୀବବିଜ୍ଞାନୀ ମାଇକେଲ ‌ଓରେ‌ବେ, କାଲିଫର୍ଣ୍ଣିଆର ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଭୂତାଣୁବିଜ୍ଞାନୀ କ୍ରିଷ୍ଟିଆନ ଆଣ୍ଡରସନ ଏବଂ ସିଡନି ବିଶ୍ବବିଦ୍ୟାଳୟର ଜୀବବିଜ୍ଞାନୀ ଡ ଏଡୱାର୍ଡ ହୋମ୍ସ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ପ୍ରଦେଶରୁ ୨୦୧୯ ଡିସେମ୍ବରରେ ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୭୬ କୋଟି ୩୬ ଲକ୍ଷ ୯୫୬ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଏଥିଜନିତ ମୃତ୍ୟୁସଂଖ୍ୟା ୬୮ ଲକ୍ଷ ୭୩ ହଜାର ୪୭୭ ରହିଛି।

ସମ୍ବନ୍ଧିତ ଖବର