ବହୁ ଦଶନ୍ଧି ଧରି ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ରହିଆସିଛି

ନ୍ୟୁୟର୍କ: ବିଶ୍ବରେ ସମ୍ପ୍ରତି କୋଟିଏ ୭୨ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୭୨ ହଜାର ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌-୧୯ ପାଇଁ ଦାୟୀ କରୋନାଭୂତାଣୁ ସାର୍ସ-କୋଭ୍-୨ ଦଶନ୍ଧି ଦଶନ୍ଧି ଧରି ବାଦୁଡ଼ିଙ୍କ ରକ୍ତରେ ସଂଚରିତ ହୋଇଆସୁଛି ବୋଲି ଏକ ସଦ୍ୟ ଗବେଷଣାରୁ ଜଣାଯାଇଛି। ଏଥି ସହିତ ଏମାନେ ଅନ୍ୟ ଭୂତାଣୁଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ସହ ମନୁଷ୍ୟ ଶରୀରକୁ ସଂକ୍ରମିତ ହେବାର ଦକ୍ଷତା ରଖିଛନ୍ତି ବୋଲି ଆମେରିକାର ପେନ୍ ଷ୍ଟେଟ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଆଶଙ୍କା ପ୍ରକଟ କରିଛନ୍ତି। ନେଚର ମାଇକ୍ରୋବାୟୋଲୋଜି ପତ୍ରିକାରେ ପ୍ରକାଶିତ ସେମାନଙ୍କ ଗବେଷଣାର ନିର୍ଯାସ ମୁତାବକ, ଭବିଷ୍ୟତରେ ଅନ୍ୟ କୌଣସି ମହାମାରୀ ଆବିର୍ଭାବର ସମ୍ଭାବନା ଥିବାରୁ ସେଥିପାଇଁ ବେଳୁହୁଁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ସେମାନେ ପରାମର୍ଶ କରିଛନ୍ତି।

ଏହି କରୋନାଭୂତାଣୁର ଜୈବିକ ଉପାଦାନଗୁଡ଼ିକ ପୁନଃସଂଯୋଜନାକ୍ଷମ ହୋଇଥିବାରୁ ଏହାର ଆନୁବଂଶିକ ଉପାଦାନଗୁଡ଼ିକ ବହୁବିଧ ଉତ୍ସରୁ ମିଳିପାରିବ। ସୁତରାଂ ସାର୍ସ-କୋଭ୍-୨ର ମୂଳ ଉତ୍ପତ୍ତି ଠଉରେଇବା କଷ୍ଟକର ବୋଲି ଅନ୍ୟତମ ଗବେଷକ ମାସିଜ୍‌ ବୋନି କହିଛନ୍ତି। ତେବେ ଏହି ଗବେଷକମାନେ ତିନିପ୍ରକାର ପୃଥକ୍‌ ଜୈବସୂଚନା ସମ୍ବଳିତ ପ୍ରକ୍ରିୟା ଅବଲମ୍ବନରେ ଅଭିନବ କରୋନାଭୂତାଣୁ ଏବଂ ଏହାର ଜଣାଶୁଣା ନିକଟତମ ବାଦୁଡ଼ି ଓ ବଜ୍ରକାପ୍ତା ମଧ୍ୟରେ କ୍ରମବିବର୍ତ୍ତନୀୟ ସମ୍ପର୍କ ସ୍ଥାପନ କରିପାରିଛନ୍ତି। ସେଥିରୁ ସେମାନେ କରୋନାଭୂତାଣୁଗୁଡ଼ିକର ୪୦ରୁ ୭୦ ବର୍ଷ ତଳୁ ବାଦୁଡ଼ିଙ୍କ ଠାରେ ରହି ଆସିଥିବା ଭୂତାଣୁମାନଙ୍କ ସହିତ ସାମଞ୍ଜସ୍ୟ ରହିଥିବା ଜାଣିପାରିଛନ୍ତି। ବିଶେଷ କରି ଜୈବିକ ସଂରଚନାରୁ ସାର୍ସ-କୋଭ୍-୨ର ୨୦୧୩ ମସିହାରେ ଚୀନ୍‌ର ୟୁନାନ୍‌ ପ୍ରଦେଶରେ ଉପଲବ୍ଧ ରିନୋଲୋଫସ୍‌ ଆଫିନିସ୍‌ ପ୍ରଜାତିର ଅଶ୍ବଖୁରାକୃତି ବାଦୁଡ଼ି ଦେହରୁ ମିଳିଥିବା ଅନ୍ୟତମ ଭୂତାଣୁ ଆର୍ଏଟିଜି-୧୩ ସହ ୯୬ ପ୍ରତିଶତ ସାମଞ୍ଜସ୍ୟ ରହିଥିବା ସ୍ପଷ୍ଟ ହୋଇଛି। ସେହିପରି ମନୁଷ୍ୟ ଶରୀରକୁ ସଂକ୍ରମିତ ହେଲା ଭଳି ଭିନ୍ନ ପ୍ରକାରର ଭୂତାଣୁ ମଧ୍ୟ ଏହି ଅଶ୍ବଖୁରାକୃତି ବାଦୁଡ଼ି ଦେହରେ ରହିଛନ୍ତି।

ସମ୍ବନ୍ଧିତ ଖବର