ୱାଶିଂଟନ: କୋଭିଡ୍‌-୧୯ ମହାମାରୀ ଆତ୍ମପ୍ରକାଶ କରିବାର ଇତିମଧ୍ୟରେ ପ୍ରାୟ ଦୁଇବର୍ଷ ବିତିବାକୁ ବସିଲାଣି। ଚୀନ୍‌ର ଉହାନ ନଗରୀରୁ ବ୍ୟାପିଥିବା ଏହି ଭୂତାଣୁଙ୍କ ମୂଳ ଉତ୍ସ କେଉଁଠି ସେ ପ୍ରଶ୍ନର ଏଯାଏ ସମାଧାନ ହୋଇପାରିଲା ନାହିଁ। ‌ତେବେ ଚୀନ୍ ଲାବୋରେଟୋରିରୁ ଏହି ଭୂତାଣୁ ଲିକ୍ ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ଏବଂ ଯାହାକୁ ପରେ ଖଣ୍ଡନ କରାଯାଇଥିଲା, ତା’ ସପକ୍ଷରେ କିଛି ସପ୍ତାହ ହେଲା ମତ ସୁଦୃଢ଼ ହେବାରେ ଲାଗିଛି।

Advertisment

ନିକଟରେ ଟେଲିଗ୍ରାଫ୍ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଲ୍ୟାବ୍ ଲିକ୍ ଥିଓରୀକୁ ଖଣ୍ଡନ କରି ଯେଉଁ ୨୭ ଜଣ ବୈଜ୍ଞାନିକ ଲାନ୍‌ସେଟ୍ ମେଡିକାଲ ଜର୍ନାଲରେ ଲେଖିଥିଲେ, ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କର ଚୀନ୍‌ର ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭା‌ଇରୋଲୋଜିର ଗବେଷକମାନଙ୍କ ସହ ଯୋଗସୂତ୍ର ଥିଲା ବା ଅଛି।

ଫେବ୍ରୁଆରି ୨୦୨୦ରେ ଲାନ୍‌ସେଟ୍‌ରେ ଏକ ପତ୍ର ପ୍ରକାଶ ପାଇଲା ଯେ, କୋଭିଡ୍‌-୧୯ର ପ୍ରାକୃତିକ ଉତ୍ସ ନାହିଁ ବୋଲି କହୁଥିବା ଷଡ଼୍‌ଯନ୍ତ୍ର ତତ୍ତ୍ବକୁ ସେମାନେ ଦୃଢ଼ଭାବରେ ନିନ୍ଦା କରୁଛନ୍ତି। ଅନେକ ଦେଶର ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ, କରୋନା ଭୂତାଣୁ ପ୍ରକୃତିରେ ହିଁ ବନ୍ୟଜନ୍ତୁ ବା ପକ୍ଷୀଠାରୁ ସୃଷ୍ଟି ହୋଇଛି। ଏହି ପତ୍ରର ଲେଖକମାନେ ସେମାନଙ୍କ ଉହାନ ସମ୍ପୃକ୍ତି ବିଷୟରେ ପ୍ରକାଶ କରି ନ ଥିଲେ। ଖୁବ୍‌ଶୀଘ୍ର ଜଣାପଡ଼ିଲା ଯେ, ବ୍ରିଟିଶ ପ୍ରାଣୀବିଜ୍ଞାନୀ ପିଟର ଡାସଜାକ ହିଁ ଏହି ପତ୍ର ଲିଖନର ସୂତ୍ରଧର। ସେ ହେଉଛନ୍ତି ଆମେରିକା ଇକୋହେଲ୍‌ଥ ଆଲାଏନ୍ସର ଅଧ୍ୟକ୍ଷ, ଯେଉଁ ସଂସ୍ଥା ଉହାନ ଭୂତାଣୁତତ୍ତ୍ବ ପ୍ରତିଷ୍ଠାନରେ ପାଣ୍ଠି ବିନିଯୋଗ କରିଛି। ଗତବର୍ଷ ଜୁନ୍ ମାସରେ ଏହି ଜର୍ନାଲରେ ପିଟର ଡାସଜାକଙ୍କ ଉହାନ ସମ୍ପୃକ୍ତିକୁ ନେଇ ସ୍ପଷ୍ଟୀକରଣ ପ୍ରକାଶ ପାଇଲା ଯେ, ତାଙ୍କର ସମ୍ପୃକ୍ତି ଅଛି ସତ କିନ୍ତୁ ଏହି ପତ୍ର ପ୍ରକାଶ ପାଇବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇ ନ ଥିଲା।

ଏବେ ଉହାନ ଲ୍ୟାବ୍ ଲିକ୍ ତତ୍ତ୍ବ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏହି ତତ୍ତ୍ବକୁ ଗ୍ରହଣ କରିଥିଲେ। ଆମେରିକାର ଏକ ଗୋଇନ୍ଦା ତଥ୍ୟ ଅନୁସାରେ ନଭେମ୍ବର ୨୦୧୯ରେ ଭୂତାଣୁ ଉହାନ ସହରର ବାହାର ଲୋକଙ୍କୁ ସଂକ୍ରମିତ କରିବା ପୂର୍ବରୁ ଉହାନ ବିଜ୍ଞାନାଗାରର ତିନିଜଣ ଗବେଷକଙ୍କୁ ସଂକ୍ରମଣ କରିଥିଲା। ବାଇଡେନ ପ୍ରଶାସନ ଟ୍ରମ୍ପଙ୍କ ଲ୍ୟାବ୍ ଲିକ୍ ଥିଓରୀ ଉପରେ ତଦନ୍ତକୁ ବନ୍ଦ କରିଦେଇଥିଲେ। ତେବେ ଗତ ଜୁଲାଇରେ ବାଇଡେନ ପ୍ରଶାସନର କେତେଜଣ ବରିଷ୍ଠ ଅଫିସରଙ୍କର ଉକ୍ତ ଗୋଇନ୍ଦା ତଥ୍ୟ ଉପରେ ନଜର ପଡ଼ିଲା। ସେମାନେ ବିଶ୍ବାସ କରିବାକୁ ଆରମ୍ଭ କଲେ ଯେ ଭୂତାଣୁ ପ୍ରକୃତିରେ ସୃଷ୍ଟି ହୋଇପାରେ ଏବଂ ଉହାନ ଲ୍ୟାବ୍‌ରୁ ବି ଲିକ୍ ହୋଇପାରେ। ତେଣୁ ଲ୍ୟାବ୍ ଲିକ୍ ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼େଇ ଦିଆଯିବା ଅନୁଚିତ। ବାଇଡେନଙ୍କ ମୁଖ୍ୟ ମେଡିକାଲ ଉପ‌ଦେଷ୍ଟା ଆନ୍ଥୋନି ଫୌସି ସିନେଟ୍ କମିଟିକୁ ୧୧ ମେରେ କହିଥିଲେ ଯେ, ଲ୍ୟାବ୍ ଲିକ୍ ସମ୍ଭାବନା ତ ନିଶ୍ଚୟ ଅଛି। ତେଣୁ ଏକ ପୂର୍ଣ୍ଣାଙ୍ଗ ତଦନ୍ତ କରାଯିବା ଉଚିତ। ତା’ପରେ ନୂଆକରି ତଦନ୍ତ କରାଗଲା। କିନ୍ତୁ ଆମେରିକାର ଗୁପ୍ତଚର ସଂସ୍ଥା ଭୂତାଣୁଙ୍କ ଉତ୍ପତ୍ତି ନେଇ କୌଣସି ସ୍ପଷ୍ଟ ପ୍ରମାଣ ଦେଇପାରିଲେ ନାହିଁ। ତେବେ ଭୂତାଣୁଙ୍କ ଉତ୍ପତ୍ତି ନେଇ ଏକ ନୂଆ ରିପୋର୍ଟ ରାଷ୍ଟ୍ରପତିଙ୍କ ଟେବୁଲରେ ଏଇ ସପ୍ତାହରେ ଉପସ୍ଥାପିତ ହେବାକୁ ଯାଉଛି। ବାଇଡେନ ମେ ମାସରେ ତଦନ୍ତକାରୀ ଦଳକୁ ୯୦ ଦିନ ସମୟ ଦେଇଥିଲେ। ତେବେ ଏଇ ସପ୍ତାହରେ ସେମାନେ ଯେଉଁ ରିପୋର୍ଟ ଦେବେ ତାହା ଉହାନ ଲ୍ୟାବ୍ ଲିକ୍ ଥିଓରୀକୁ ସମର୍ଥନ କରିବ ବୋଲି ଆଶା କରାଯାଏ।