ଦୁର୍ନୀତିଗ୍ରସ୍ତ ନିଜକୁ ନିରୀହ ଦର୍ଶାଇ ଖସିପାରିବେନି: ଅନୁରାଗ ଠାକୁର

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତତା ମାମଲାରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପରେ ବର୍ଷିଛନ୍ତି। ଠାକୁର କହିଛନ୍ତି, ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ନିଜକୁ ଯେତେ‌ ନିରୀହ ଏବଂ ନିର୍ଦ୍ଦୋଷ ଦେଖାଇ ହେଲେ ବି ସେ ଦୁର୍ନୀତିଗ୍ରସ୍ତ। ଆପ୍‌ ଦ୍ବାରା ଏହା ପ୍ରଥମ ଦୁର୍ନୀତି ମାମଲା ନୁହେଁ। ଦିଲ୍ଲୀରେ ଲିକର ଷ୍ଟୋର୍‌ରେ ବଡ଼ ଧରଣର ଦୁର୍ନୀତି ହୋଇଛି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯିବା ଦିନ ହିଁ ଦିଲ୍ଲୀ ଅବକାରୀ ନୀତି ପ୍ରତ୍ୟାହାର କରାଯାଇଥିଲା।

ଠାକୁର କହିଛନ୍ତି, ଯଦି ଅବକାରୀ ନୀତିରେ କୌଣସି ଦୁର୍ନୀତି ନାହିଁ ତେବେ ଏହାକୁ ପ୍ରତ୍ୟାହାର କରାଗଲା କାହିଁକି। କେଜ୍ରିୱାଲ ଦୁର୍ନୀତିକୁ ସୁରକ୍ଷା ଦେଉଛନ୍ତି ବୋଲି ଠାକୁର ଅଭିଯୋଗ କରିଛନ୍ତି। ଏପରିକି ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ପାଇଁ ଜେଲ୍‌ ଯିବା ସମୟରେ ମଧ୍ୟ ସେ ତାଙ୍କୁ ବହିଷ୍କାର କରିନଥିଲେ। ପରେ ଜୈନ ଦାବି କରିଥିଲେ ଯେ ସେ ତାଙ୍କ ସ୍ମୃତିଶକ୍ତି ହରାଇ ଦେଇଛନ୍ତି। ଠାକୁର କହିଛନ୍ତି, ‘ଏକ୍ସାଇସ୍‌’ ମନ୍ତ୍ରୀ ଏବେ ‘ଏକ୍ସକ୍ୟୁଜ୍‌’ ମନ୍ତ୍ରୀ ହୋଇଛନ୍ତି କିନ୍ତୁ ମୁଁ ଭାବୁଛି ସେ ତାଙ୍କ ସ୍ମୃତିଶକ୍ତି ହରାଇବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର