ଦେଶକୁ ମିଳିଲାଣି ୨୪ ରାଫେଲ୍‌ ଯୁଦ୍ଧ ବିମାନ, ସପ୍ତମ ପର୍ଯ୍ୟାୟରେ ୩ଟି ବିମାନ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶକୁ ପୁଣି ୩ଟି ରାଫେଲ୍‌ ଯୁଦ୍ଧବିମାନ ମିଳିଛି। ଗତକାଲି ସପ୍ତମ ପର୍ଯ୍ୟାୟରେ ୩ଟି ରାଫେଲ୍‌ ଯୁଦ୍ଧବିମାନ ଦେଶରେ ପହଞ୍ଚିଛି। ଏଥିସହ ଦେଶକୁ ମୋଟ୍‌ ୨୪ଟି ରାଫେଲ୍‌ ଯୁଦ୍ଧ ବିମାନ ମିଳିଲାଣି। ଏହାଦ୍ବାରା ବାୟୁସେନାର ଶକ୍ତି ମଧ୍ୟ ବଢ଼ୁଛି। ଫ୍ରାନ୍ସରୁ ୮୦୦୦ କିମି ଯାତ୍ରା କରି ବିମାନ ଗତକାଲି ଭାରତରେ ପହଞ୍ଚିଥିଲା। ତେବେ ବାଟରେ ୟୁଏଇରେ କେବଳ ତେଲ ପକାଇବାପାଇଁ ବିମାନ ଅଟକିଥିଲା। ଦେଶକୁ ମିଳିଥିବା ନୂଆ ରାଫେଲ ଯୁଦ୍ଧ ବିମାନ ପଶ୍ଚିମବଙ୍ଗର ହସିମରା ବାୟୁସେନା ଘାଟିରେ ମୁତୟନ ହେବ।

ପ୍ରଥମ ରାଫେଲ୍‌ ସ୍କ୍ବାଡ୍ରନ୍‌ ଅମ୍ବାଲା ବାୟୁସେନାଘାଟିରେ ମୁତୟନ ହୋଇଛି। ଉଲ୍ଲେଖଯୋଗ୍ୟ ଭାରତ ୩୬ଟି ରାଫେଲ୍‌ ଯୁଦ୍ଧବିମାନ ପାଇଁ ଫ୍ରାନ୍ସ ସହ ୫୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା। ଚୁକ୍ତି ମୁତାବକ ୨୪ଟି ଯୁଦ୍ଧ ବିମାନ ଭାରତରେ ପହଞ୍ଚିସାରିଛି। ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ଜୁଲାଇ ୨୯ରେ ଦେଶରେ ପ୍ରଥମ ବ୍ୟାଚ୍‌ ରାଫେଲ ଯୁଦ୍ଧ ବିମାନ ପହଞ୍ଚିଥିଲା। ଆସନ୍ତା କିଛି ମାସ ମଧ୍ୟରେ ଦେଶକୁ ପୁଣି ଆହୁରି ଅଧିକ ଯୁଦ୍ଧ ବିମାନ ମିଳିବ।

ସମ୍ବନ୍ଧିତ ଖବର