ଦିଲ୍ଲୀ ହିଂସାରେ ଦେଶ ସ୍ତବ୍ଧ: କଠୋରପନ୍ଥୀଙ୍କ ବଡ଼ ଷଡ଼୍‌ଯନ୍ତ୍ର, ୬ ଘଣ୍ଟାରେ ସବୁକିଛି ଓଲଟପାଲଟ

ସନ୍ଦେହ ଘେରରେ ଚାଷୀ ନେତାଙ୍କ ଭୂମିକା

 

ନୂଆଦିଲ୍ଲୀ: ଲାଲ କିଲ୍ଲାରେ ହଜାର ହଜାର ଆନ୍ଦୋଳନକାରୀ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଓ ଉପଦ୍ରବରେ ଦେଶ ସ୍ତବ୍ଧ ହୋଇଯାଇଛି। ଲାଲ କିଲ୍ଲାର ପାଚେରୀରେ ଜାତୀୟ ପତାକା ସ୍ଥାନରେ ଆନ୍ଦୋଳନକାରୀମାନେ ଧାର୍ମିକ ପତାକା ଲଗାଇ ଅଭୂତପୂର୍ବ ସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ଚାଷୀ ଆନ୍ଦୋଳନର ଗତି କୁଆଡ଼େ ବୋଲି ସବୁ ମହଲରେ ପ୍ରଶ୍ନ ଉଠୁଛି। ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେବାପରେ ଚାଷୀ ସଂଗଠନଗୁଡ଼ିକ ବୟାନ ଜାରି କରି ଏଥିରେ ସେମାନଙ୍କ ହାତ ନାହିଁ ଏବଂ ଆସାମାଜିକମାନେ ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି। ତେବେ ଯେଉଁ ଉପଦ୍ରବକାରୀମାନଙ୍କୁ ସିସିଟିଭିରୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରୁ ଅନେକ ୨୫ ତାରିଖ ରାତିରେ ଚାଷୀ ନେତାଙ୍କ ସହ ଗୁପ୍ତ ମନ୍ତ୍ରଣା କରିଥିବା ଅଭିଯୋଗ ହୋଇଛି। ଚାଷୀ ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ନେତା ରାକେଶ ଟିକାୟତ ହିଂସା ପାଇଁ ଉସୁକାଇଥିବା ସଂକ୍ରାନ୍ତ କେତେକ ଭିଡିଓ ଆଜି ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଆଜି ପୁଲିସ ଯେଉଁ ଉପଦ୍ରବକାରୀଙ୍କୁ ଅଟକ ରଖି ଜେରା କରୁଛି ସେମାନେ ସପ୍ତାହେ ହେଲା ସିଂଘୁ ସୀମାରେ ଡେରା ପକାଇଥିଲେ ମଧ୍ୟ ହିଂସା ନେଇ ପୁଲିସକୁ କିଭଳି ସୁରାକ୍‌ ପୂର୍ବରୁ ମିଳିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆନ୍ଦୋଳନ ବଡ଼ ହିଂସାର ରୂପ ନେବା ପରେ ଚାଷୀ ସଂଗଠନ ମଧ୍ୟରେ ଫାଟ ବଢ଼ୁଛି। ୨ଟି ଚାଷୀ ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିବା ବେଳେ ୨୦ରୁ ଅଧିକ ସଂଗଠନ ହିଂସାରେ ସେମାନଙ୍କ ହାତ ନାହିଁ ବୋଲି ବିବୃତି ଜାରି କରିଛନ୍ତି। କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ଥିଲା ବୋଲି ସେମାନେ କହିଛନ୍ତି। ଦିଲ୍ଲୀ ପୁଲିସ ଯେଉଁ ସର୍ତ୍ତ ଆଧାରରେ ରୢାଲି ପାଇଁ ଅନୁମତି ଦେଇଥିଲା ତାହାକୁ କେତେକ ଚାଷୀ ନେତା ଓ ସେମାନଙ୍କ ସମର୍ଥକମାନେ ଉଲ୍ଲଂଘନ କରିବା ଯୋଗୁଁ ଏଭଳି କାଣ୍ଡ ଘଟିଗଲା ବୋଲି ଆନ୍ଦୋଳନରୁ ଓହରିଥିବା କେତେକ ଚାଷୀ ନେତା କହିଛନ୍ତି। ଯୋଜନାବଦ୍ଧ ଭାବେ ପୁଲିସ ଉପରେ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ପଛରେ ପଂଜାବର କେତେକ ଚରମପନ୍ଥୀ ସଂଗଠନର ହାତ ଥିବାରୁ ଏବେ ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଛି ଏବଂ କେତେକ ଚାଷୀ ନେତାଙ୍କୁ ସମନ କରାଯାଇଛି।

ଜାନୁଆରି ୨୬ରେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରାର ପୂର୍ବରାତିରେ ଦଳେ କଠୋରପନ୍ଥୀ ସମଗ୍ର ଯୋଜନାକୁ ବଦଳାଇ ଦେଇଥିଲେ। ଏପରିକି ଶୋଭାଯାତ୍ରା ପାଇଁ ମିଳିତ କିଷାନ ମୋର୍ଚ୍ଚା ପୁଲିସକୁ କଥା ଦେଇଥିବା ରାସ୍ତାକୁ ମଧ୍ୟ ସେମାନେ ବିରୋଧ କରିଥିଲେ। ସେମାନଙ୍କର ଏହି କାରନାମା କିଛି ପଞ୍ଜାବୀ ୱେବ୍‌ ଚାନେଲ୍‌ ସମେତ କେତେକଙ୍କ ବ୍ୟକ୍ତିଗତ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ପ୍ରଦର୍ଶିତ ହୋଇଥିଲା। ଶୋଭାଯାତ୍ରା ପାଇଁ ନିର୍ଦ୍ଧାରିତ ରାସ୍ତା ବଦଳରେ ‘ଆମର ରାସ୍ତା ରିଙ୍ଗ ରୋଡ୍‌’ ବୋଲି ସେମାନେ ଚିତ୍କାର କରି ନିର୍ଦ୍ଦେଶ କରିଥିଲେ। ସୋମବାର ସନ୍ଧ୍ୟା ୬ଟାରୁ ମଧ୍ୟରାତି ଯାଏଁ ଦୀର୍ଘ ୬ ଘଣ୍ଟା ଧରି ଏହି କଠୋରପନ୍ଥୀମାନେ ସିଙ୍ଘୁ ସୀମାରେ ଆୟୋଜିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ମଞ୍ଚକୁ କବ୍‌ଜା କରିନେଇଥିଲେ। ଅନେକ ଚାଷୀ ନେତା ସେମାନଙ୍କୁ ନିରବ ସମର୍ଥନ କରିଥିଲେ। ପ୍ରଥମେ କିଛି ଅଜଣା ମୁହଁ କିଷାନ ନେତାମାନଙ୍କୁ ମଞ୍ଚ ଉପରକୁ ଆସି ଟ୍ରାକ୍ଟର ଶୋଭାଯାତ୍ରା ସଂକ୍ରାନ୍ତ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଦାବି କରିଥିଲେ।

ମାତ୍ର ପରେ ମଞ୍ଚ ଉପରେ ମଲନା ୟଥ୍‌ ଫେଡେରେସନ୍‌ର ସଭାପତି ତଥା ଦୁର୍ଦ୍ଦାନ୍ତ ଅପରାଧୀରୁ ରାଜନେତା ପାଲଟିଥିବା ଲାଖବୀର ସିଂହ ସିଧନା ଓରଫ ଲାଖା ସିଧନା(୪୦) ଓ ଅଭିନେତା ଦୀପ ସିଧୁ ପ୍ରମୁଖ ଦେଖାଦେଇଥିଲେ। ଏହି ଅବସରରେ ସିଧୁ କହିଥିଲେ, ‘ଆମ ନେତୃତ୍ବ ଉପରେ ଏବେ ଚାପ ପଡୁଛି। ତେଣୁ ଆମେ ସେମାନଙ୍କ ଉପରେ ଅଧିକ ଚାପ ପକାଇବାକୁ ଚାହୁନାହୁଁ। ତେବେ ସେମାନେ ମଞ୍ଚ ଉପରକୁ ଆସି ସମସ୍ତଙ୍କୁ ସୁହାଇଲା ପରି ଏକ ନିଷ୍ପତ୍ତି ନିଅନ୍ତୁ। ଅନ୍ୟଥା ଆମେ ହି ନିଷ୍ପତ୍ତି ନେବୁ।’ ସେହିପରି ସିଧନା କହିଥିଲେ, ‘ହଜାର ହଜାର ଯୁବକ ରିଙ୍ଗ ରୋଡ୍‌ ଦେଇ ଶୋଭାଯାତ୍ରା କରିବା ଚାହାନ୍ତି। କିଷାନ ମଜଦୁର ସଂଘର୍ଷ କମିଟି ମଧ୍ୟ ଏହି ରାସ୍ତାକୁ ବାଛିସାରିଛି। ସେମାନେ ଆମ ଆଗେ ଆଗେ ପ୍ରତିବାଦ ଚଳାଇଛନ୍ତି, ସୁତରାଂ ଆମ ଟ୍ରାକ୍ଟର ସବୁ ସେମାନଙ୍କ ପଛେ ପଛେ ଯିବ। ତେଣୁ ଯିଏ ଇଚ୍ଛା କରିବ ରିଙ୍ଗ୍‌ ରୋଡ୍‌ ବାଟେ କିଷାନ ମଜଦୁର ସଂଘର୍ଷ କମିଟିକୁ ଅନୁସରଣ କରିପାରିବ।’ ଏହିପରି ଭାବେ ଉଭୟ ସିଧୁ ଓ ସିଧନା ସିଙ୍ଘୁ ସୀମାରେ ଆନ୍ଦୋଳନକାରୀମାନଙ୍କୁ ଭୁଲ ବାଟରେ ପରିଚାଳିତ କରିଥିଲା ବେଳେ ଲାଲକିଲ୍ଲାରେ କେବଳ ସିଧୁଙ୍କ ଉପସ୍ଥିତି ଥିବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ମନପ୍ରୀତ ସିଂହ ବାଦଲଙ୍କ ଦ୍ବାରା ସ୍ଥାପିତ ରାଜନୈତିକ ଦଳ ପିପୁଲ୍‌ସ ପାର୍ଟି ଅଫ୍‌ ପଞ୍ଜାବ ପକ୍ଷରୁ ୨୦୧୨ ବିଧାନସଭା ନିର୍ବାଚନ ଲଢ଼ି ପରାଜୟ ସ୍ବୀକାର କରିଥିବା ସିଧନା ଅନେକ ମାମଲାରେ ଅଭିଯୁକ୍ତ ଥିବା ବେଳେ ନିର୍ବାଚନ ପୂର୍ବରୁ ହିଁ ଦୋଷମୁକ୍ତ ହୋଇଥିଲେ। ତେବେ ଯୁବଗୋଷ୍ଠୀଙ୍କୁ ଏହି ଚାଷୀ ଆନ୍ଦୋଳନରେ ସାମିଲ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।

ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପାଇଁ କେନ୍ଦ୍ର ସରକାର ହିଁ ଦାୟୀ ଏବଂ ଗୁଇନ୍ଦା ବିଭାଗର ବିଫଳତା ଯୋଗୁଁ ଏଭଳି କାଣ୍ଡ ଘଟିଗଲା ବୋଲି କଂଗ୍ରେସ କହିଛି। ଉପଦ୍ରବକାରୀମାନଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସ ପ୍ରଶାସନ ବିଫଳତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯ୍ୟେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି)ର ସାଧାରଣ ସଂପାଦକ ତଥା ବିଧାୟକ ଅଭୟ ସିଂହ ଚୌତାଲା ଆଜି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ତାଙ୍କୁ ପଦରୁ ଇସ୍ତଫା ଦେଇଛନ୍ତି।

ଦିଲ୍ଲୀରେ ଇଣ୍ଟରନେଟ୍‌ ବ୍ୟାନ୍‌ ଯୋଗୁଁ ସମସ୍ୟା
ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନଜନିତ ହିଂସା ପରେ ଦିଲ୍ଲୀ ଏନ୍‌ସିଆର୍‌ରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଏହା ଦ୍ବାରା ସାଧାରଣ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ କ୍ଲାସ୍‌ଠାରୁ ଆରମ୍ଭ କରି ୱର୍କ ଫ୍ରମ୍‌ ହୋମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଭ୍ରାଟ ଦେଖାଦେଇଛି। କର୍ପୋରେଟ୍‌ ସେକ୍ଟରରେ କାମ କରୁଥିବା ଲୋକଙ୍କ ସମସ୍ୟା ଅଧିକ ଥିବା ବେଳେ ମୋଟ ୫ କୋଟି ମୋବାଇଲ୍‌ ଇଣ୍ଟରନେଟ୍‌ ବ୍ୟବହାରକାରୀ ଏହି ବ୍ୟାନ୍‌ ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ଚାଷୀଙ୍କ ଦ୍ବାରା ହିଂସା ପରେ ଗତକାଲିଠାରୁ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରକିବାକୁ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏହି ବ୍ୟାନ୍‌ ମାତ୍ର ୨୪ ଘଣ୍ଟା ପାଇଁ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର