ମୁମ୍ବାଇରେ ବଡ଼ବଡ଼ ବଲିଉଡ୍ ତାରକା ସେଠା ଅଣ୍ଡରୱାର୍ଲ୍ଡଙ୍କ ହାତବାରିସି ସାଜିବା କିମ୍ବା ସେମାନଙ୍କ ଶିକାର ହେବା ନୂଆ କଥା ନୁହେଁ। ତେବେ ସଲମାନ-ବିଷ୍ଣୋଇ ପ୍ରକରଣ ଖାଲି ସବୁ ସୀମା ଟପିଯାଇନାହିଁ, ଦେଶବ୍ୟାପୀ ଏକ ଅସ୍ବସ୍ତିକର ବାତାବରଣ ସୃଷ୍ଟି କରିଛି। ଲୋକେ ଏହାର ତୁରନ୍ତ ପରିସମାପ୍ତି ନେଇ ଉଦ୍ଗ୍ରୀବ ହୋଇଉଠିଥିବା ସାମାଜିକ ଗଣମାଧ୍ୟମରୁ ଜାଣିହେଉଛି। ସଲମାନଙ୍କ ପରି ଜଣେ ଲୋକପ୍ରିୟ ଅଭିନେତାଙ୍କ ହତ୍ୟା ପାଇଁ ଏପରି ଖୋଲା ଆହ୍ବାନକୁ ଏମିତିରେ ଶହେ ପ୍ରତିଶତ ଲୋକ ନିନ୍ଦା କରନ୍ତେ। ତୁରନ୍ତ ଲରେନ୍ସ ଓ ତା’ର ସହଯୋଗୀଙ୍କୁ ସରକାର ନାକେଦମ କରିଦିଅନ୍ତେ। ଏ କ୍ଷେତ୍ରରେ କିନ୍ତୁ ସେମିତି ହେଉନାହିଁ। ସଲମାନଙ୍କୁ ୱାଇ-ପ୍ଲସ୍ ସୁରକ୍ଷା ଦିଆଯାଇଛି ସତ, ହେଲେ ଏହି ପ୍ରକରଣର ରାଜନୈତିକ ଓ ଅନ୍ତର୍ଜାତୀୟ ଦିଗ ଥିବାରୁ ବିଷ୍ଣୋଇ ଗ୍ୟାଙ୍ଗ୍କୁ ସାବାଡ଼ କରାଯାଇନାହିଁ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜନମତ ବିଭାଜିତ ହୋଇଛି। ଚଳଚ୍ଚିତ୍ର ଜଗତରେ ଭାଇଜାନ ନାମରେ ଖ୍ୟାତ ଏହି ବଦାନ୍ୟ ତାରକାଙ୍କୁ କ୍ଷତି ପହଞ୍ଚାଅ ନାହିଁ ବୋଲି ସଲମାନଙ୍କ ଅଗଣିତ ଅନୁଗାମୀ ଓ ପ୍ରଶଂସକ କାକୁତିମିନତି ହେଉଛନ୍ତି। ଅନ୍ୟପକ୍ଷରେ, ଜଙ୍ଗଲ ଓ ଜୀବଜଗତର ସୁରକ୍ଷା ବିଷ୍ଣୋଇ ସମୁଦାୟର ପରମ ଧର୍ମ ବୋଲି ଜାଣିବା ପରେ ସେମାନଙ୍କ ପ୍ରତି ମଧ୍ୟ ସମବେଦନାର ସୁଅ ଛୁଟୁଛି।
ଲରେନ୍ସ ବିଷ୍ଣୋଇ ମାତ୍ର ପାଞ୍ଚବର୍ଷର ଶିଶୁଟିଏ ହୋଇଥିବା ସମୟରେ ସେତେବେଳକାର ଶୌର୍ଯ୍ୟବାନ ଯୁବକ ସଲମାନ କରିଥିବା ଭୁଲ୍ଟିକୁ ଲରେନ୍ସ ୨୬ ବର୍ଷ ପରେ ଉଠାଇବା ଏକ ବାହାନା ବୋଲି କୁହାଯାଇଛି। ତେବେ ଏହି ପ୍ରକରଣରେ ସଲମାନଙ୍କର ଦୁଇଟି ଭିଡିଓ ଭାଇରାଲ ହେବା ଦ୍ବାରା ଦୁଇ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖାଯାଉଛି। ଲରେନ୍ସର ଫତୱାକୁ ଫୁ କରିଦେଇ ସଲମାନ ‘ତୁ କ’ଣ ମୋତେ ମାରିବୁ, ତୋତେ ମୁଁ ଜଣେ ମଣିଷ ହିସାବରେ ଗଣେନାହିଁ, ତୁ ଏକ ହିଞ୍ଜଡ଼ା’ ବୋଲି ଗୋଟିଏ ଭିଡିଓରେ କହୁଛନ୍ତି। ପ୍ରତ୍ୟୁତ୍ତରରେ କୁହାଯାଇଛି, ‘‘ଏଣେ ଡରିମରି ପିଳେହିପାଣି! ୱାଇ-ପ୍ଲସ୍ ସିକ୍ୟୁରିଟିର ଆଶ୍ରୟ ନେଇଛୁ, ଆଉ ବଡ଼ବଡ଼ କଥା କହୁଛୁ?’’ ଅନ୍ୟ ଏକ ଭିଡିଓରେ ସଲମାନ ଏପରି ଧମକ ଦେଉଛନ୍ତି, ‘‘ନିଜକୁ ବାହାଦୂର କହୁଛ, ନିଜ ଆତ୍ମୀୟମାନଙ୍କୁ କାନ୍ଧ ଦେଇପାରିବ ତ?’’ ସ୍ବାଭାବିକ ଭାବରେ ଏହି ଭିଡିଓଟିରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ତେବେ ତଥ୍ୟାଭିଜ୍ଞ ମହଲ ସତ କ’ଣ ଜାଣିପାରିଛନ୍ତି। ଭିଡିଓ ଦୁଇଟିରେ ତଞ୍ଚକତା ହୋଇଛି। ଭଲ ଭାବେ ଲକ୍ଷ୍ୟ କଲେ, ସଲମାନଙ୍କ ଗୋଟିଏ ଭିଡିଓରେ ତାଙ୍କ ସ୍ବରକୁ ନକଲ କରି ବାର୍ତ୍ତାଗୁଡ଼ିକୁ ଡବ୍ କରାଯାଇଥିବା ଜାଣିହେଉଛି। କରୋନା ସମୟର ଏକ ଭିଡିଓକୁ କାଟି ଲରେନ୍ସକୁ ସଲ୍ମାନ ଧମକ ଦେଉଥିବା ଭଳି ଅନ୍ୟ ଏକ ପୋଷ୍ଟ କରାଯାଇଛି।
ସଲମାନଙ୍କ ସୁରକ୍ଷା ଓ ଲରେନ୍ସ ଗ୍ୟାଙ୍ଗକୁ ସାବାଡ଼ କରିବା ସରକାରଙ୍କ ଯେତେ ବଡ଼ କର୍ତ୍ତବ୍ୟ, ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗରେ ନକଲି ଭିଡିଓ ଛାଡ଼ିବା ପରି ଅକ୍ଷମଣୀୟ ଅପରାଧ କରୁଥିବା ଲୋକଙ୍କୁ ସାବାଡ଼ କରିବା ସରକାରଙ୍କର ପ୍ରାଥମିକତା ହେବା ଉଚିତ ବୋଲି କୁହାଯାଇଛି। ଦେଶରେ ଏଭଳି ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ସାମାଜିକ ଗଣମାଧ୍ୟମରେ ଲୋକେ ବିତଣ୍ଡା, ଟାହିଟାପରା, ହାସ୍ୟରୋଳରୁ ନିଜକୁ ଦୂରେଇ ରଖିପାରିନାହାନ୍ତି। ସଲମାନଙ୍କୁ ହତ୍ୟା ପାଇଁ ମାତ୍ର ୫ କୋଟି ଟଙ୍କାର ପୁରସ୍କାର ସଂପୃକ୍ତ ଗୁଣ୍ଡାମାନଙ୍କ ଔକାତକୁ ଦର୍ଶାଉଛି ବୋଲି ପରିହାସ ଛଳରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/20/hFVCRQtpDrn4dvsyE8JL.jpg)