ଦେଶର ଭବ୍ୟ ନୂଆ ସଂସଦ ଭବନ, ୨୦୦୦ ପ୍ରତିନିଧିଙ୍କ ପାଇଁ ଆସନ ବ୍ୟବସ୍ଥା!

୨୦୨୬ ପରେ ଲୋକସଭା ଆସନ ସଂଖ୍ୟା ବଢ଼ିପାରେ

ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନର ରୂପରେଖ ଚୂଡ଼ାନ୍ତ ହୋଇସାରିଛି ଏବଂ ଏହି ଭବନର ନିର୍ମାଣ ଅତ୍ୟନ୍ତ ଭବ୍ୟ ହେବ । ଏଥିରେ ୧୨୦ ଦପ୍ତର ପାଇଁ ବ୍ୟବସ୍ଥା ହେଉଥିବା ବେଳେ ଭବିଷ୍ୟତର ଭାରତକୁ ଦୃଷ୍ଟିରେ ରଖି ପ୍ରାୟ ୨୦୦୦ ପ୍ରତିନିଧିଙ୍କ ପାଇଁ ମଧ୍ୟ ଆସନ ବ୍ୟବସ୍ଥା ହେଉଥିବା କୁହାଯାଉଛି। ଭାରତର ୭୫ତମ ସ୍ବାଧୀନତା ଦିବସ ସମାରୋହ ପାଇଁ ଏହି ନୂଆ ସଂସଦ ଭବନର ନିର୍ମାଣ ଠିକା ଦିଆଯାଇଛି ଏବଂ ୨୦୨୨ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏବେ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ଆଧାରରେ ୫୪୩ ଆସନ ବ୍ୟବସ୍ଥା ରହିଛି। ତେବେ ୨୦୨୬ ପରେ ଏଥିରେ ବଡ଼ ଧରଣର ବୃଦ୍ଧି ହେବ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ସରକାର ନୂଆ ସଂସଦ ଭବନର ରୂପରେଖ ପ୍ରସ୍ତୁତ କରିଛନ୍ତି।

ଡିସେମ୍ବର ୨୦୧୯ରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲୋକସଭାର ଆସନ ସଂଖ୍ୟା ୫୪୩ରୁ ୧୦୦୦ କରିବାକୁ ମତ ରଖିଥିଲେ। ରାଜ୍ୟସଭାର ଆସନ ସଂଖ୍ୟା ମଧ୍ୟ ବଢ଼ାଇବାକୁ ଅନୁରୂପ ପ୍ରସ୍ତାବ ସେ ଦେଇଥିଲେ। ସେତେବେଳେ ପ୍ରଣବ କହିଥିଲେ ଯେ ସଂଖ୍ୟା ବଳରେ ହିଁ ସରକାର କ୍ଷମତାକୁ ଆସୁଥିଲେ ମଧ୍ୟ ଦେଶର ଅଧିକାଂଶ ଭୋଟର୍‌ ଗୋଟିଏ ଦଳକୁ ‌ଭୋଟ୍‌ ଦେଉନାହାନ୍ତି। ୨୦୦୨ରେ ସମ୍ବିଧାନ ସଂଶୋଧନ ଦ୍ବାରା ସ୍ଥିର କରାଯାଇଥିଲା ଯେ ୨୦୨୬ ପର୍ଯ୍ୟନ୍ତ ଲୋକସଭା ଆସନ ବଢ଼ାଯିବ ନାହିଁ। ଗତ ସୀମା ପୁନଃନିର୍ଦ୍ଧାରଣ କମିସନ ୨୦୦୭ରେ ଆସିଥିଲା ଏବଂ ଏହି ଆଧାରରେ ଆସନର ସୀମାରେ ପରିବର୍ତ୍ତନ କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ୨୦୩୧ ଜନଗଣନା ପରେ ଆସନ ସ୍ଥିତିରେ ବହୁତ ବଡ଼ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି। ଆସନ ସଂଖ୍ୟା ବଢ଼ାଇବା ନିଷ୍ପତ୍ତି ନେବା ପଛରେ ଜନସଂଖ୍ୟା ସ୍ଥିତି ମୁଖ୍ୟ ଆଧାର ରହିଛି। ୧୯୭୧ରେ ଦେଶର ଜନସଂଖ୍ୟା ୫୫ କୋଟି ଥିଲା ଏବଂ ଏବେ ଜନସଂଖ୍ୟା ଏହାର ଦୁଇ ଗୁଣରୁ ଅଧିକ ରହିଛି। ଆସନ ଦୃଷ୍ଟିରୁ ଏବେ ଦକ୍ଷିଣ ଭାରତ ଫାଇଦାରେ ରହିଛି। ଦକ୍ଷିଣର ୪ ରାଜ୍ୟ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳର ମୋଟ ଜନସଂଖ୍ୟା ଦେଶର ଜନସଂଖ୍ୟାର ୨୧ ପ୍ରତିଶତ ଏବଂ ସେଠାରେ ଲୋକସଭା ଆସନ ୧୨୯ ରହିଛି। ହିନ୍ଦୀ ଭାଷୀ ରାଜ୍ୟ ବିହାର ଏବଂ ଉତ୍ତରପ୍ରଦେଶରେ ମୋଟ ଜନସଂଖ୍ୟା ଦେଶର ଜନସଂଖ୍ୟାର ୨୫.୧ ପ୍ରତିଶତ ରହିଥିବା ବେଳେ ସେଠାରେ ୧୨୦ ଆସନ ରହିଛି।

ସମ୍ବନ୍ଧିତ ଖବର