ବ୍ରିଟେନର ଧନୀ ଏସୀୟଙ୍କ ମଧ୍ୟରେ ସୁନକ ଦମ୍ପତି

ଲଣ୍ଡନ: ବ୍ରିଟେନରେ ବସବାସ କରୁଥିବା ଧନୀ ଏସୀୟଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷର୍ତ୍ତା ମୂର୍ତ୍ତି ସ୍ଥାନ ପାଇଛନ୍ତି। ୨୦୨୨ ବର୍ଷ ପାଇଁ ପ୍ରସ୍ତୁତ ଧନୀ ତାଲିକାରେ ଏମାନେ ୧୭ତମ ସ୍ଥାନରେ ରହିଛନ୍ତି। ଏମାନଙ୍କ ସଂପତ୍ତି ୭୯୦ ନିୟୁତ ପାଉଣ୍ଡ ବୋଲି ଜଣାଯାଇଛି। ଉକ୍ତ ତାଲିକାର ଶୀର୍ଷରେ ହିନ୍ଦୁଜା ପରିବାର କ୍ରମାଗତଭାବେ ଅଷ୍ଟମ ବର୍ଷ ପାଇଁ ରହିଛନ୍ତି। ହିନ୍ଦୁଜା ପରିବାରର ମୋଟ ସଂପତ୍ତି ୩୦.୫ ବିଲିଅନ ପାଉଣ୍ଡକୁ ବୃଦ୍ଧି ପାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ୩ ବିଲିଅନ ଡଲାର ଅଧିକ।

ୱେଷ୍ଟମିନିଷ୍ଟର ପାର୍କ ପ୍ଲାଜାରେ ଆୟୋଜିତ ଏସୀୟ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ଲଣ୍ଡନର ମେୟର ସାଦିକ ଖାନ୍‌ ଗୋପିଚାନ୍ଦ ହିନ୍ଦୁଜାଙ୍କ ଝିଅ ଋତୁ ଛାବ୍ରିୟାଙ୍କୁ ଏସୀୟ ଧନୀ ତାଲିକା ୨୦୨୨ର ଏକ କପି ପ୍ରଦାନ କରିଛନ୍ତି। ଉକ୍ତ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ (୧୨.୮ ବିଲିଅନ ପାଉଣ୍ଡ), ପ୍ରକାଶ ଲୋହିଆ ଓ ପରିବାର (୮.୮ ବିଲିଅନ ପାଉଣ୍ଡ) ଏବଂ ନିର୍ମଳ ସେଠିଆ (୬.୫ ବିଲିଅନ ପାଉଣ୍ଡ) ପ୍ରମୁଖ ଅଛନ୍ତି।

ସମ୍ବନ୍ଧିତ ଖବର