ପାଟନା: ବିହାରର ନୌଗାଛିଆ ଅଂଚଳରେ ଅନର କିଲିଂର ଏକ ଭୟାନକ ରୂପ ଦେଖିବାକୁ ମିଳିଛି। ୨୦୨୧ରେ ନୌଗାଛିଆରେ ନିଜ ଗାଁରୁ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ ୨ ବର୍ଷର ଶିଶୁ କନ୍ୟା ସହ ଗତକାଲି ଗ୍ରାମକୁ ଫେରିଥିଲେ। ସେମାନେ ନିଜ ନୂଆ ଘରକୁ ଯାଉଥିବା ବେଳେ ଦମ୍ପତି ଓ ତାଙ୍କ ୨ ବର୍ଷର ଝିଅକୁ ଗୁଳିକରି ହତ୍ୟା କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଚନ୍ଦନ କୁମାର, ତାଙ୍କ ପତ୍ନୀ ଚାନ୍ଦନୀ କୁମାରୀ ଓ ସେମାନଙ୍କ ଦୁଇ ବର୍ଷର ଝିଅକୁ ଚାନ୍ଦନୀଙ୍କ ବାପା ଓ ଭାଇ ଗୁଳିକରି ହତ୍ୟା କରିଛନ୍ତି। ନୌଗାଛିଆ ଏସପି ସୁଶାନ୍ତ କୁମାର ସରୋଜ କହିଛନ୍ତି ଯେ ଚାନ୍ଦନୀଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ଅନୁମୋଦନ ନ କରିବାରୁ ଏହି ଦମ୍ପତି ୨୦୨୧ରେ ପଳାଇ ଯାଇଥିଲେ ଏବଂ ବିବାହ କରି ବାହାରେ ରହୁଥିଲେ। ତେବେ ପରିସ୍ଥିତି ସ୍ବାଭାବିକ ହୋଇଥିବା ଅନୁଭବ କରି ଚନ୍ଦନ ପରିବାର ସହ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗତକାଲି ପହଞ୍ଚିଥିଲେ। ଏହି ଖବର ପାଇବା ମାତ୍ରେ ଚାନ୍ଦନୀଙ୍କ ପିତା ଓ ଭାଇ ସେମାନଙ୍କୁ ତୁରନ୍ତ ହତ୍ୟା ଯୋଜନା କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ହତ୍ୟାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।