ହୋଟେଲରୁ ୪୫ ବିରଳ ମଦ ବୋତଲ ଚୋରାଇଲେ ଦମ୍ପତି: ଗୋଟିକର ଦାମ୍‌ ୩ କୋଟି

ନୂଆଦିଲ୍ଲୀ : ହୋଟେଲରୁ ଜିନିଷ ଚୋରାଇବା କିଛି ଭଦ୍ରଲୋକଙ୍କ ଖରାପ ଅଭ୍ୟାସ। ଏହିଭଳି ଏକ ଘଟଣା ସ୍ପେନ୍‌ର କୈସିରସ ସହରର ଏକ ହୋଟେଲରେ ଘଟିଥିବା ନଜରକୁ ଆସିଛି। ସେଠାରେ ଥିବା ହୋଟେଲ ଏଟ୍ରିଓ ସୁସ୍ବାଦୁ ଖାଦ୍ୟ ସହ ସଂଗୃହୀତ ବହୁ ପୁରାତନ ମଦ ପାଇଁ ପ୍ରସିଦ୍ଧ। ନିକଟରେ ହୋଟେଲ ଏଟ୍ରିଓରୁ ଊନବିଂଶ ଶତାବ୍ଦୀର ପ୍ରାୟ ୪୫ଟି ବିରଳ ମଦ ବୋତଲ ଚୋରି ହୋଇଥିଲା। ଚୋରି ହୋଇଥିବା ମଦ ବୋତଲ ମଧ୍ୟରୁ ୧୮୦୬ରେ ତିଆରି ହୋଇଥିବା ଶେଟ୍ୟୁ ଡିୟକ୍ବେମ୍‌ ନାମକ ଏକ ମଦ ବୋତଲର ଦାମ୍‌ ୩ କୋଟି ଟଙ୍କା। ଏହାକୁ ଫ୍ରାନ୍ସର ବିଶିଷ୍ଟ ମଦ ପ୍ରସ୍ତୁତକର୍ତ୍ତା ତିଆରି କରିଥିଲେ। ହୋଟେଲ ଏଟ୍ରିଓରେ ଥିବା ବିରଳ ମଦମାନଙ୍କ ମଧ୍ୟରେ ଏହା ଥିଲା ଅନ୍ୟତମ।

ହୋଟେଲ ମାଲିକ ଜୋସ୍‌ ପୋଲୋ ଏକ ଦମ୍ପତିଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁଯାୟୀ, ଗତ ବୁଧବାର ଦିନ ଇଂରାଜୀରେ କଥାବାର୍ତ୍ତା ହେଉଥିବା ଏକ ଦମ୍ପତି ହୋଟେଲ୍‌ରେ ଚେକ୍‌-ଇନ୍‌ କରିଥିଲେ। ହୋଟେଲର ମେଶଲିନ୍‌ ରେଷ୍ଟୁରାଣ୍ଟରେ ଭୋଜନ କରିଥିଲେ। ଫ୍ରଣ୍ଟ ଅଫିସ୍‌ରେ ଥିବା ଷ୍ଟାଫ୍‌ଙ୍କୁ ଖାଦ୍ୟ ପାଇଁ ଅର୍ଡର ଦେଇଥିଲେ। ଷ୍ଟାଫ୍‌ଜଣକ ଖାଦ୍ୟ ପାଇଁ ଯିବା ସମୟରେ ଭଦ୍ରବ୍ୟକ୍ତି କାଉଣ୍ଟରରେ ଥିବା ବିରଳ ମଦ ବୋତଲ ଚୋରି କରିଥିଲେ। ପରଦିନ ସେମାନେ ହୋଟେଲ ଛାଡ଼ି ଚାଲି ଯାଇଥି‌ଲେ ବୋଲି ପୋଲୋ ଅଭିଯୋଗ କରିଛନ୍ତି। ପୋଲୋଙ୍କ ଅଭିଯୋଗକୁ ଭିତ୍ତି କରି ହୋଟେଲରୁ ମଦ ଚୋରି କରିଥିବା ଦମ୍ପତିଙ୍କୁ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର