୨୦୨୧ ମାର୍ଚ୍ଚ ପରେ ‘କୋଭାକ୍ସିନ୍‌’ ଟିକାର ଲୋକାର୍ପଣ

ଟିକାକରଣ ପ୍ରସ୍ତୁତି ତ୍ବରାନ୍ବିତ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ‘କୋଭାକ୍ସିନ୍‌’ ନାମକ କୋଭିଡ୍‌ ଟିକା ଆସନ୍ତା ବର୍ଷ ଦ୍ବିତୀୟ ତ୍ରୟୋମାସିକ ବେଳକୁ ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍‌ଧ କରାଇବାକୁ କମ୍ପାନି ଧାର୍ଯ୍ୟ ଲକ୍ଷ୍ୟ ରଖିଥିବା ଜଣେ ପ୍ରମୁଖ ଅଧିକାରୀ ଜଣାଇଛନ୍ତି। ସୂଚନା ଥାଉ କି, ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍) ଅଧୀନ ଜାତୀୟ ଭୂତାଣୁବିଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଭି) ସହଯୋଗରେ ନିଷ୍କ୍ରିୟ କରୋନାଭୂତାଣୁ ସାର୍ସ-କୋଭ୍‌-୨କୁ ଭିତ୍ତି କରି ପ୍ରସ୍ତୁତ ହୋଇଥିବା ଉକ୍ତ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହେବା ଉପରେ। ସେହିପରି ନଭେମ୍ବର ମାସରେ ଏହାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ କମ୍ପାନି ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ଓ ଅନ୍ୟାନ୍ୟ କାଗଜାତ କାମ ଜାରି ରହିଛି। ଦେଶର ୧୩ରୁ ୧୪ ରାଜ୍ୟର ମୋଟ ୨୫ରୁ ୩୦ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲୁ ହେବାକୁ ଥିବା ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରତି କେନ୍ଦ୍ରରେ ୨,୦୦୦ ଯାଏ ସ୍ବାସ୍ଥ୍ୟସେବୀଙ୍କୁ ସାମିଲ କରିବା ଲାଗି କମ୍ପାନି ପ୍ରସ୍ତୁତ ହେଉଛି। ଅଦ୍ୟାବଧି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆଶାନୁରୂପ ଥିବା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟ ବିକ୍ଷିପ୍ତ ପରୀକ୍ଷଣରେ ଟିକାର ଅନୁରୂପ ଫଳପ୍ରଦତା ଠିକ୍‌ଠାକ୍‌ ରହିଲେ ଆସନ୍ତା ବର୍ଷ ମାର୍ଚ୍ଚ ପରେ ପରେ ସାର୍ବଜନୀନ ବ୍ୟବହାର ପାଇଁ ଟିକାକୁ ଲୋକାର୍ପଣ କରାଯିବ ବୋଲି କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାଇ ପ୍ରସାଦ ଆଶା ରଖିଛନ୍ତି।

ଟିକାକରଣ ପ୍ରସ୍ତୁତି ତ୍ବରାନ୍ବିତ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: କରୋନା ମହାମାରୀ ରୋକିବାକୁ ଟିକା ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ପହଁଚିଥିବା ବେଳେ ଟିକାକରଣ ପାଇଁ ପ୍ରସ୍ତୁତି ତ୍ବରାନ୍ବିତ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋଟା ଟିକା ଯେଭଳି ସୁରୁଖୁରୁରେ ବଂଟନ ହେବ ଏବଂ କେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ ତାହା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ର୍ୟ ସଚିବ । ଟିକା ବଂଟନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରିବାକୁ କୁହାଯାଇଛି । ଟିକା ବଣ୍ଟନ ପାଇଁ ତ୍ରିସ୍ତରୀୟ କମିଟି ଗଠନ ହେବ ଏବଂ ଏଥିରେ ମୁଖ୍ୟ ସଂଚାଳକ ଭାବେ ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳ ରହିବେ। ସେହିପରି ରାଜ୍ୟ ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷତା କରିବେ ସ୍ୱାସ୍ଥ୍ୟ ସଚିବ । ଏବେ କମିଟି ଟିକାକରଣ ପାଇଁ ଡାଟାବେସ୍ ପ୍ରସ୍ତୁତିର ଅଗ୍ରଗତି ତଦାରଖ କରିବ । ଟିକାକରଣ ବେଳେ ଯେପରି ବାଧା ସୃଷ୍ଟି ନହେବ ଏବଂ ସୁରୁଖରୁରେ ପ୍ରକ୍ରିୟା ଚାଲିବ ସେଥିପାଇଁ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯିବା ଯୋଜନା ରହିଛି। ଏ ବାବଦ ପାଣ୍ଠିର ବ୍ୟବସ୍ଥା ଓ ସମୀକ୍ଷା କରି ପଦକ୍ଷେପ ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଟିକାକରଣ ପାଇଁ ଜିଲ୍ଲାସ୍ତରରେ ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷତା କରିବେ ଜିଲ୍ଲାପାଳ । ଟିକାକରଣ ପାଇଁ ତାଲିମ ଦେବା ସହ ବ୍ଳକ ଓ ଜିଲ୍ଲାସ୍ତରରେ ଅଧିକାରୀ ନିଯୁକ୍ତ କରିବାକୁ ଯୋଜନା ପ୍ରସ୍ତୁତି ଚାଲିଛି । ଟିକାକୁ ନେଇ ସୋସିଆଲ ମିଡିଆ ଗୁଜବକୁ ଚିହ୍ନଟ କରି ଏଥିରେ ଅଙ୍କୁଶ ଲଗାଇବାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର