କୋଭିଡ୍ ସଂକଟ ନୂଆ ଆଇନଗତ ବିବାଦ ଆଣିବ!

ନୂଆଦିଲ୍ଲୀ: ସମ୍ପ୍ରତି ଛାଇ ରହିଥିବା ମହାମାରୀ କୋଭିଡ୍ ସମସ୍ୟାର ସମାଧାନ କରିବାରେ ମାନ୍ୟବର ସୁପ୍ରିମ କୋର୍ଟ କିଛି ଭୁଲ୍‌ କରିପକାଇଛନ୍ତି କି– ଏପରି ଏକ ଅନାହୂତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି । କାରଣ ସୁପ୍ରିମ୍‌ କୋର୍ଟ ନିଜର ଜରୁରୀକାଳୀନ ପରିସ୍ଥିତି ପରର ଲକ୍ଷଣ ପ୍ରଦର୍ଶନ କରିଛି ବୋଲି ଗତ ମାସରେ ୨୦ ଜଣ ବରିଷ୍ଠ ଓକିଲ ଅଭିଯୋଗ ଉଠାଇଥିଲେ। ତେବେ ପ୍ରାକ୍ତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏଭଳି ଚିନ୍ତାଧାରା ସହ ଏକମତ ହୋଇନଥିବା ବେଳେ ମାନ୍ୟବର ଶୀର୍ଷ ଅଦାଲତ ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନେଇପାରିନାହିଁ ବୋଲି ଆଟଣ୍ଣି ଜେନେରାଲ୍ ମୁକୁଲ ରୋହତାଗି ଟିପ୍ପଣୀ କରିଥିଲେ ା ବେନେଟ୍ ବିଶ୍ବବିଦ୍ୟାଳୟର ସ୍କୁଲ୍ ଅଫ୍ ଲ’ ପକ୍ଷରୁ ଆୟୋଜିତ ‘କୋଭିଡ୍–୧୯: ସାମ୍ବିଧାନିକ ଓ ନ୍ୟାୟିକ ଆହ୍ବାନ’ ଶୀର୍ଷକ ଆଲୋଚନାଚକ୍ରରେ ଉଭୟ ଏପରି ମତ ରଖିଥିଲେ।

କୌଣସି ବିଚାରପତିଙ୍କୁ ବ୍ୟକ୍ତିଗତ ଭାବେ ହେଉ କିମ୍ବା ସାମୂହିକ ଭାବେ ହେଉ, ଏହି ନ୍ୟାୟିକ ଅନୁଷ୍ଠାନ ପ୍ରତି ମନ୍ଦ ଚିନ୍ତାଧାରା ହିଁ ଏହାର କାର୍ଯ୍ୟନ୍ବୟନକୁ ଦୁର୍ବଳ କରିପକାଇବ ବୋଲି ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ଜଷ୍ଟିସ୍‌ ଗୋଗୋଇ କହିଛନ୍ତି। କାରଣ ସାମ୍ପ୍ରତିକ ସ୍ଥିତିରେ ଏହାର ନିରବତା କିମ୍ବା ନିଷ୍କ୍ରିୟତାକୁ ଜରୁରୀକାଳୀନ ସ୍ଥିତି ବେଳେ ଏହାର ଭୂମିକା ସହ ତୁଳନା କରାଯାଉଛି ଯଦିଓ ଉଭୟ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଜରୁରୀକାଳୀନ ପରିସ୍ଥିତି ବେଳେ ମନୁଷ୍ୟ ଦ୍ବାରା ହିଁ ସାମ୍ବିଧାନିକ ଅପବ୍ୟବହାର ସୃଷ୍ଟି କରାଯାଇଥିଲା । ସେତେବେଳେ ତ୍ରୁଟି ନକରିବା ପାଇଁ ନ୍ୟାୟିକ ବିକଳ୍ପମାନ ରହିଥିଲେ ବି ଆମେମାନେ ହିଁ ତାହା କରାଇ ଦେଇନଥିଲେ ା ମାତ୍ର ବର୍ତ୍ତମାନର ସ୍ଥିତି ମନୁଷ୍ୟ ଆୟତ୍ତର ବାହାରେ। ବୋଲି ଗୋଗୋଇ କହିଛନ୍ତି। ଅପରପକ୍ଷେ, ରୋହତାଗିଙ୍କ କହିବା କଥା, ସାରା ବିଶ୍ବକୁ କୋଭିଡ୍ ଆକ୍ରାନ୍ତ କରିଥିବା ବେଳେ ପ୍ରବାସୀ ଶ୍ରମିକମାନେ ହଜାର ହଜାର କିମି ଚାଲି ଚାଲି ଆସୁଥିବା ଘଟଣାରେ ସୁପ୍ରିମକୋର୍ଟ ଆଦୌ ସମୟୋଚିତ ପ୍ରତିକ୍ରିୟା ରଖିନଥିଲେ। ସେହିପରି ସାମ୍ବିଧାନିକ ବିଶେଷଜ୍ଞ ହରୀଶ ସାଲ୍‌ଭେଙ୍କ କହିବା ଅନୁଯାୟୀ, ଲକ୍ଡାଉନ୍ ସ୍ଥିତି ଯୋଗୁଁ ବିଶେଷ କରି ବ୍ୟକ୍ତିବିଶେଷ, ନିଯୁକ୍ତିଦାତା ଓ କମ୍ପାନିମାନଙ୍କ ଦ୍ବାରା ଚୁକ୍ତିଭିତ୍ତିକ ଓ ବୈଧାନିକ କୃତଜ୍ଞତାର ଅବମାନନା ସମ୍ପର୍କରେ ଅନେକ ଜଟିଳ ନ୍ୟାୟିକ ବିବାଦ ସୃଷ୍ଟି କରିଛି ା ଏହାକୁ କେନ୍ଦ୍ର କରି ମାତ୍ରାଧିକ ମାମଲା ଉଠିଥିବା ବେଳେ ସେଗୁଡି଼କର ସମାଧାନ ପାଇଁ ବୋଝଗ୍ରସ୍ତ ନ୍ୟାୟିକ ବ୍ୟବସ୍ଥା ଉପରେ ସରକାର ନିର୍ଭର ନକରି କିଛି ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ଜରୁରୀ ହୋଇପଡି଼ଛି। ଅପରପକ୍ଷେ, ଏଭଳି ସ୍ଥିତିରେ ଦେଶର ସଂଘୀୟ ବ୍ୟବସ୍ଥା ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ହିଁ ସଂକଟ ଟାଳିବାରେ ସଫଳ ହେବ ବୋଲି ଅନ୍ୟତମ ପ୍ରାକ୍ତନ ପ୍ରଧାନ ବିଚାରପତି ପି ଷଷ୍ଠାଶିବମ୍ କହିଛନ୍ତି।

ସମ୍ବନ୍ଧିତ ଖବର