ଅଗ‌ଷ୍ଟ ୩୧ ଯାଏଁ କୋଭିଡ୍‌ କଟକଣା ବୃଦ୍ଧି, ଅଧିକ ପଜିଟିଭ୍‌ ହାର ଥିବା ଜିଲ୍ଲାରେ କଡ଼ା ପଦକ୍ଷେପ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦେଶରେ କୋଭିଡ୍‌ କଟକଣା ବୃଦ୍ଧି କରିଛନ୍ତି। ଅଧିକ ପଜିଟିଭ୍‌ ହାର ଥିବା ଜିଲ୍ଲାମାନଙ୍କରେ କଡ଼ା ପଦକ୍ଷେପ ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ‌ଲେଖିଛନ୍ତି। ସଂକ୍ରମଣ କମିଲେ ସୁଦ୍ଧା ଆତ୍ମସନ୍ତୁଷ୍ଟିର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାପାଇଁ କୁହାଯାଇଛି। ଆର୍‌ ଫ୍ୟାକ୍ଟର ବୃଦ୍ଧି ନହେବା ଦିଗରେ ସ୍ବତନ୍ତ୍ର ଧ୍ୟାନ ରଖିବାପାଇଁ ସରକାର କହିଛନ୍ତି। କରୋନାର ପୁନଃ ସଂକ୍ରମଣ ହାରକୁ ଆର୍‌ ଫ୍ୟାକ୍ଟର କୁହାଯାଉଛି।

କିଛି ରାଜ୍ୟରେ ଆର୍‌ ଫ୍ୟାକ୍ଟର ଅଧିକ ରହୁଛି। ତେଣୁ ରାଜ୍ୟ ସରକାର ଏଦିଗରେ ତତ୍କାଳ ପଦ‌କ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ଗହଳି ସ୍ଥାନମାନଙ୍କରେ କୋଭିଡ୍‌ କଟକଣା ଲାଗୁ ରହିବା ସହ ୫ ରଣନୀତି ଉପରେ ଫୋକସ୍‌ ରଖିବାପାଇଁ ସରକାର କହିଛନ୍ତି। ଏହି ୫ ରଣନୀତି ହେଉଛି ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌, ଟିକାକରଣ ଏବଂ କରୋନା ନିୟମାବଳିର ପାଳନ। କରୋନା ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ ସମସ୍ତ ଜିଲ୍ଲାମାନଙ୍କୁ କଡ଼ା ନିର୍ଦ୍ଦେଶାବଳି ଜାରି ହେବା ଉଚିତ୍‌ ବୋଲି ଗୃହ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର