ଦେଶରେ କୋଭିଡ୍‌ର ଗୋଷ୍ଠୀ ସଂକ୍ରମଣ ହୋଇଛି!

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ୁଥିବା ଲକ୍ଷ୍ୟ କରି ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ବୋଲି ଆଶଙ୍କା ପ୍ରକଟ କରିଛନ୍ତି। କେରଳରେ ଦେଖାଦେଇଥିବା ମୋଟ ସଂକ୍ରମିତଙ୍କ ଭିତରୁ ୬୦ ପ୍ରତିଶତ ହିଁ ଆଞ୍ଚଳିକ ସଂକ୍ରମଣ ଦ୍ବାରା ସଂଘଟିତ ଏବଂ ରାଜ୍ୟର ଦୁଇଟି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପି. ବିଜୟନ୍‌ ଶନିବାର ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ଭାରତୀୟ ଆଇଏମ୍‌ଆଇ ହସ୍ପିଟାଲ୍‌ ବୋର୍ଡର ଅଧ୍ୟକ୍ଷ ଡା. ଭି କେ ମୋଙ୍ଗାଙ୍କ କହିବା ଅନୁଯାୟୀ, ଯେତେବେଳେ ଜନସାଧାରଣଙ୍କ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବିକ୍ଷିପ୍ତ ଭାବରେ ମାଡ଼ି ଚାଲିଥିବ, ଅଥଚ ସଂକ୍ରମଣର ଉତ୍ସ ଠଉରେଇବା କଷ୍ଟକର ହୋଇଥିବ, ସେଭଳି ସ୍ଥିତିକୁ ହିଁ ଗୋଷ୍ଠୀ ସଂକ୍ରମଣ କୁହାଯିବ। ଅର୍ଥାତ୍ ଏଭଳି କ୍ଷେତ୍ରରେ ସଂକ୍ରମଣର ଉତ୍ସ ଏବଂ ପର୍ଯ୍ୟାୟକ୍ରମ ସଂକ୍ରମଣ ଭିତରେ ସଂଯୋଗ ସ୍ଥାପନ ହୋଇପାରିନଥାଏ।

ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତ ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚିସାରିଛି ବୋଲି ସତର୍କ କରାଇ ଦେଇଥିବା ଡା. ମୋଙ୍ଗା କହିଛନ୍ତି। ତେବେ ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଅପେକ୍ଷା ଏହା ଗ୍ରାମାଞ୍ଚଳକୁ ମାଡ଼ିଚାଲିଥିବା ଖବର ବେଶୀ ଚିନ୍ତାଜନକ ବୋଲି ସେ କହିଛନ୍ତି। ଡା. ମୋଙ୍ଗାଙ୍କ ଏପରି ଦାବିରେ ସାର୍ ଗଙ୍ଗାରାମ ହସ୍ପିଟାଲ୍‌ର ଡା. ଅରବିନ୍ଦ କୁମାର ମଧ୍ୟ ସହମତ ଅଛନ୍ତି। ତେବେ ଦେଶରେ ଏଭଳି ସ୍ଥିତି କିଛି ଦିନ ପର୍ଯ୍ୟନ୍ତ କାଏମ ରହିଥିବା ସେ କହିଛନ୍ତି। ଦିଲ୍ଲୀର କିଛି ନିର୍ଦ୍ଦିଷ୍ଟ ଇଲାକା ଏବଂ ମୁମ୍ବାଇର ଧରାବୀ ବସ୍ତି ଭଳି ସ୍ଥାନରେ ଏଭଳି ଗୋଷ୍ଠୀ ସଂକ୍ରମଣ ଦେଖାଦେଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷେ, ଭେଲୋର ସ୍ଥିତ ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜ୍‌ର ପ୍ରଖ୍ୟାତ ଚର୍ମ ବିଶେଷଜ୍ଞ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡା. ଜୟପ୍ରକାଶ ମୁଲିୟିଲଙ୍କ ମତରେ ଦେଶରେ କିଛି ଦିନ ହେଲା ବିଭିନ୍ନ ଜିଲ୍ଲା ଏବଂ ଗାଁରେ ନୂତନ ସଂକ୍ରମଣ କେନ୍ଦ୍ର ବାହାରୁଥିବା ନଜରକୁ ଆସୁଛି ଯେଉଁଠି ଦିନକୁ ଶତାଧିକ ସଂକ୍ରମିତ ଠାବ ହେଉଛନ୍ତି।

ସମ୍ବନ୍ଧିତ ଖବର