ବେଜିଂ: ଚୀନ୍ ରାଜଧାନୀ ବେଜିଂରେ କୋଭିଡ୍ ସଂକ୍ରମଣ ନେଇ ଅତି ସାଂଘାତିକ ସ୍ଥିତି ଉପୁଜିଛି। ୧୦ ଦିନ ତଳୁ ବେଜିଂରେ କରୋନା କଟକଣା ହଟିବାପରେ ପୁଣି ସଂକ୍ରମଣ ଅତି ଦ୍ରୁତ ବେଗରେ ମାଡ଼ି ଚାଲିଛି। ଗତ କିଛି ଦିନ ମଧ୍ୟରେ କରୋନା ଯୋଗୁଁ ମୃତ୍ୟୁ ମଧ୍ୟ ବଢ଼ିଛି। ବେଜିଂର ବିଭିନ୍ନ ଶବଦାହ କେନ୍ଦ୍ରରେ ଶବ ସଂଖ୍ୟା ବଢ଼ିଚାଲିଛି। ବେଜିଂ ଡୋଙ୍ଗଜିଆଓ ଶ୍ମଶାନରେ ଶବ ସଂଖ୍ୟା ଆଶାତୀତ ଭାବେ ବଢ଼ିବାରୁ ସମସ୍ୟା ଉପୁଜିଛି। ଏଠାରେ କାମ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି, କରୋନା ସଂକ୍ରମଣ ପୁଣିଥରେ ଆରମ୍ଭ ହେବାପରଠାରୁ ଆମ ପାଇଁ ଫୁରସତ ନାହିଁ। ବେଜିଂ ପୌର କର୍ତ୍ତୃପକ୍ଷଙ୍କ ଦ୍ବାରା ପରିଚାଳିତ ଏହି ଶବଦାହ ଗୃହର କର୍ମଚାରୀ କହିଛନ୍ତି, ପ୍ରତିଦିନ ବହୁ ସଂଖ୍ୟାରେ ମର ଶରୀର ଆସି ପହଞ୍ଚୁଛି। ଆମକୁ ଅଧରାତି ପର୍ଯ୍ୟନ୍ତ ବି ଶବଦାହ କରିବାକୁ ପଡ଼ୁଛି। ତାଙ୍କ ଆକଳନ ଅନୁଯାୟୀ ପ୍ରତିଦିନ ଶ୍ମଶାନରେ ପ୍ରାୟ ୨୦୦ ମର ଶରୀର ପହଞ୍ଚୁଛି। କାମ ଚାପ ଯୋଗୁଁ ଶ୍ମଶାନର କର୍ମଚାରୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି। ଅନେକ କର୍ମଚାରୀ କରୋନା ଭାଇରସ୍ରେ ସଂକ୍ରମିତ। ସେଥିପାଇଁ ଶବଦାହ କାର୍ଯ୍ୟରେ ବାଧା ଉପୁଜୁଛି। ଶବଦାହ ପାଇଁ ଅନେକ କ୍ଷେତ୍ରରେ ଲୋକଙ୍କୁ ୩ ଦି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିବା ଜଣାପଡ଼ିଛି। ବେଜିଂରେ ପ୍ରବଳ ଥଣ୍ଡା ଯୋଗୁଁ କରୋନା ଅଣାୟତ୍ତ ହୋଇଯାଇଛି। ସେଲ୍ଫ ଟେଷ୍ଟିଂ କିଟ୍, ଜ୍ବର ଏବଂ ଥଣ୍ଡା ମେଡିସିନ ଏବଂ ପାରମ୍ପରିକ ଔଷଧ କ୍ରୟ ବଢ଼ିଯାଇଛି। ଲୋକମାନେ ଆତଙ୍କିତ ହୋଇ ଆଗୁଆ ଔଷଧ କିଣି ଗଚ୍ଛିତ ରଖୁଥିବାରୁ ଏନେଇ ମଧ୍ୟ ସମସ୍ୟା ଊପୁଜିଛି।ଅଧିକାରୀମାନେ ଔଷଧ ଗଚ୍ଛିତ ନକରିବାପାଇଁ କହିଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ସାଧାରଣ ସ୍ବାସ୍ଥ୍ୟସେବା ମଧ୍ୟ ଚାପରେ ରହିଛି। ବହୁ ସଂଖ୍ୟାରେ ଡାକ୍ତର ଏବଂ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି।
ଚଳିତ ମାସ ଆରମ୍ଭରେ ବେଜିଂ ଏମର୍ଜେନ୍ସି ମେଡିକାଲ ସେଣ୍ଟର ପକ୍ଷରୁ କେବଳ ଗୁରୁତର ଅସୁସ୍ଥ ଥିବା ରୋଗୀମାନଙ୍କୁ ଆମ୍ବୁଲାନ୍ସ ପାଇଁ କଲ୍ କରିବାକୁ କୁହାଯାଇଥିଲା। ତେବେ ଏହି ଏମର୍ଜେନ୍ସି କଲ୍ ପୂର୍ବରୁ ଦୈନିକ ହାରାହାରି ୫୦୦୦ ଥିବାବେଳେ ଏହା ଏବେ ୩୦ ହଜାରରେ ପହଞ୍ଚିଛି। ଶବଦାହ ଗୃହରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି, ବହୁ ସଂଖ୍ୟାରେ ବରିଷ୍ଠ ନାଗରିକଙ୍କ ଶବ ଆସୁଛି। ଶୁକ୍ରବାର ଦିନ କରୋନାରେ ନିଜ ମା’ଙ୍କୁ ହରାଇ ଦେଇଥିବା ଜଣେ ବେଜିଂ ବାସିନ୍ଦା ଶବଦାହ ପାଇଁ ଡୋଙ୍ଗଜିଆଓ ଶ୍ମଶାନ କର୍ମଚାରୀଙ୍କୁ ଫୋନ୍ କରିଥିଲେ। କିନ୍ତୁ ୨ ଦିନ ପର୍ଯ୍ୟନ୍ତ ଶବଦାହ ହୋଇପାରିବନି ବୋଲି ଶ୍ମଶାନର କର୍ମଚାରୀ କହିଥିଲେ।
ଡିସେମ୍ବର ୭ରେ ଚୀନ୍ରେ କରୋନା କଟକଣା ପରିବର୍ତ୍ତନ ହେବା ପରଠାରୁ ବେଜିଂରେ କୌଣସି କରୋନା ମୃତ୍ୟୁ ହୋଇନଥିବା ସରକାରୀ ଭାବେ ରିପୋର୍ଟ କରାଯାଇଛି। ତେବେ ବାସ୍ତବତା ଅତି ଭୟାନକ ଆଡ଼କୁ ଗତି କରୁଛି ଚୀନ୍ର ଏକ ଗଣମାଧ୍ୟମ ସଂସ୍ଥାର ଖବର ଅନୁଯାୟୀ ଦୈନିକ ଶତାଧିକ ଲୋକଙ୍କ ମୃତ୍ୟୁ ହେଉଛି। ଜନସାଧାରଣ କରୋନା ମୃତ୍ୟୁ ସଂପର୍କରେ ତଥ୍ୟ ଦେବାପାଇଁ ଚାହୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ ନକରି ଏଡ଼ାଇ ଚାଲିଛନ୍ତି। ଜାତୀୟ ସ୍ବାସ୍ଥ୍ୟ କମିସନ ନିଜର ସରକାରୀ କରୋନା ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ନକରିବା ସମସ୍ତଙ୍କୁ ବିସ୍ମିତ କରିଛି। ଏବେ ଚୀନ୍କୁ ବାଦ୍ଦେଲେ ପୂରା ବିଶ୍ବରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
୨୦୨୩ରେ ଚୀନ୍ରେ ୧୦ ଲକ୍ଷରୁ ଅଧିକ ମୃତ୍ୟୁ ହେବ
ନୂଆଦିଲ୍ଲୀ: ଚୀନ୍ରେ କରୋନା ଏବେ ଯେଉଁଭଳି ବ୍ୟାପୁଛି ଆସନ୍ତା ବର୍ଷ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି। ଆମେରିକାର ଆଇଏଚ୍ଏମ୍ଇ ( ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍) ଶୁକ୍ରବାର ଏହି ଘୋଷଣା କରିଛି। ଆଇଏଚଏମ୍ଇ ଆକଳନ ଅନୁଯାୟୀ ଚୀନ୍ର କରୋନା କଟକଣା କୋହଳ ନିଷ୍ପତ୍ତି ପାଇଁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବ ଏବଂ ମୃତ୍ୟୁ ମଧ୍ୟ ବଢ଼ିବ। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଚୀନ୍ ଜନସଂଖ୍ୟାର ୧ ତୃତୀୟାଂଶ ଏଥିରେ ପ୍ରଭାବିତ ହେବେ ଏବଂ ଏପ୍ରିଲ୍ ୧ ସୁଦ୍ଧା ପ୍ରାୟ ୩୨୨,୦୦୦ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବ ବୋଲି ଆଇଏଚ୍ଏମଇ ନିର୍ଦ୍ଦେଶକ ଖ୍ରିଷ୍ଟୋପର ମୁରେ କହିଛନ୍ତି।
୨୦୨୩ରେ ଚୀନ୍ରେ ୧୦ ଲକ୍ଷରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଚୀନ୍ରେ ଗତ ୩ ବର୍ଷ ମଧ୍ୟରେ କରୋନା ମୃତ୍ୟୁ ୫,୨୩୫ ରହିଛି ବୋଲି ସରକାରୀ ତଥ୍ୟ କହୁଛି। କିନ୍ତୁ ଚୀନ୍ ବାସ୍ତବରେ କରୋନା ମୃତ୍ୟୁକୁ ରିପୋର୍ଟ କରୁନି। ଆଇଏଚଏମ୍ଇ ମଡେଲ୍ ଅନୁଯାୟୀ କରୋନା କଟକଣା ହଟାଇବା ଦ୍ବାରା ପ୍ରତି ୧୦ ଲକ୍ଷରେ ୬୮୪ ମୃତ୍ୟୁ ହେବ। ସେହିପରି ଫୁଡାନ ୟୁନିଭର୍ସିଟିର ସ୍କୁଲ ଅଫ୍ ପବ୍ଲିକ ହେଲ୍ଥ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ କଟକଣା ହଟିଯିବା ଯୋଗୁଁ କରୋନା ସଂକ୍ରମଣ ଅତି ସାଂଘାତିକ ଭାବେ ବ୍ୟାପିବ ଏବଂ ୬ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧.୫୫ ନିୟୁତ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/s54fh654h6sfh54sfh65.jpg)