ସାଂଘାଇ: ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଶ୍ମଶାନଗୁଡ଼ିକରେ ହଜାର ହଜାର ଶବ ସତ୍କାର ଅପେକ୍ଷାରେ ରହିଥିବା ବେଳେ ସବୁ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଘୋର ଚିନ୍ତାର କାରଣ ପାଲଟିଛି । ବେଜିଂ ଓ ସାଂଘାଇରେ କୋଭିଡ୍ ନିୟନ୍ତ୍ରଣ ପାଇଁ କଠୋର ଲକ୍‌ଡାଉନ୍‌ ଉଠିବାର କେଇମାସ ପରେ ମହାମାରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ୨୫ ନିୟୁତ ଜନସଂଖ୍ୟା-ବିଶିଷ୍ଟ ବ୍ୟବସାୟିକ ମହାନଗରୀ ସାଂଘାଇରେ ସ୍ଥିତି ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଛି । ଡାକ୍ତରଖାନାଗୁଡ଼ିକରେ ନୂଆ ରୋଗୀଙ୍କୁ ରଖିବା ପାଇଁ ଜାଗା ମିଳୁ ନ ଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ମେଡିସିନ୍ ଷ୍ଟୋରଗୁଡ଼ିକରେ ଔଷଧ ମିଳୁନାହିଁ। ଗାଡ଼ିମଟର ଓ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯାଇଛି। ସ୍କୁଲ-କଲେଜ ବି ବନ୍ଦ ହୋଇଯାଇଛି। ସାଂଘାଇର ସବୁଠାରୁ ବଡ଼ ପବ୍ଲିକ୍ ହସ୍ପିଟାଲ ହେଉଛି ଟନ୍‌ଗ୍ରେନ୍ ହସ୍ପିଟାଲ। ଆଇସିୟୁରେ ସ୍ଥାନାଭାବ ହେତୁ ଡାକ୍ତରମାନେ ହଲ୍‌ଘରେ ରୋଗୀଙ୍କୁ ଶୁଆଇ ଚିକିତ୍ସା କରୁଛନ୍ତି। ବିଭିନ୍ନ ଫିଭର କ୍ଳିନିକ ବାହାରେ ଲୋକେ ଭୀଷଣ ଶୀତରେ ଧାଡ଼ି ଲଗାଇ ଅପେକ୍ଷା କରିବା ଦେଖିବାକୁ ମିଳିଛି। ହସ୍ପିଟାଲ ପାଖରେ ଥିବା ମେଡିସିନ୍ ଷ୍ଟୋରଗୁଡ଼ିକ ଲୋକଙ୍କୁ ବାହାରୁ ବାହାରୁ ଫେରାଇ ଦେଉଛନ୍ତି- କହୁଛନ୍ତି ତାଙ୍କ ପାଖରେ ଆଉ ଥଣ୍ଡା ଓ ଜ୍ବର ରୋଗର ଔଷଧ ନାହିଁ। ଅନ୍ୟପକ୍ଷରେ ଚୀନ୍‌ର କୋଭିଡ୍‌ ଟିକା ଓମିକ୍ରନ୍‌ ପ୍ରଜାତି ବିରୋଧରେ ବିଫଳ ହୋଇଥିବାରୁ ଏବେ କମ୍ୟୁନିଷ୍ଟ ସରକାର ପ୍ରଥମ ଥର ପାଇଁ ଲୋକଙ୍କୁ ବିଦେଶୀ ଟିକା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ଜର୍ମାନୀରୁ ବାୟୋଏନ୍‌ଟେକ୍‌ କୋଭିଡ୍‌ ଟିକା ଚୀନ୍‌ ପହଞ୍ଚିଛି।

Advertisment

ଡାକ୍ତରଖାନା ଭର୍ତ୍ତି
ରାସ୍ତାଘାଟ ଜନଶୂନ୍ୟ
ସ୍ବାସ୍ଥ୍ୟ କର୍ମଚାରୀ ନୟାନ୍ତ, ପାରୁନି ପ୍ରଶାସନ
ଜାନୁଆରିରେ ଆସିବ ବଡ଼ ଲହର
ଜର୍ମାନୀରୁ ଟିକା ପହଞ୍ଚିଲା

ରୋଗୀ ସଂଖ୍ୟା ଉଦ୍‌ବେଜନକ ଭାବେ ବଢ଼ିଚାଲିଥିବା ବେଳେ ସୀମିତ ସଂଖ୍ୟକ ସ୍ବାସ୍ଥ୍ୟ କର୍ମଚାରୀମାନେ ନୟାନ୍ତ ହୋଇପଡ଼ୁଛନ୍ତି। ରୋଗୀଙ୍କ ଚିକିତ୍ସା କରି ସେମାନେ ବି ରୋଗଗ୍ରସ୍ତ ହୋଇପଡ଼ୁଛନ୍ତି। ବହୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ବି କୋଭିଡ୍‌ରେ ପୀଡ଼ିତ ହୋଇଛନ୍ତି। ଏପରି ପରିସ୍ଥିତି ପାଇଁ ସହର କେବେହେଲେ ପ୍ରସ୍ତୁତ ନ ଥିଲା। ସାଂଘାଇର ଜଣେ ଘରୋଇ ଡାକ୍ତର କହିଛନ୍ତି, ସପ୍ତାହକ ତଳେ ସାଂଘାଇ ପରିସ୍ଥିତି ସ୍ବାଭାବିକ ଥିଲା। ଏବେ ସଂକ୍ରମଣ ଦୃଷ୍ଟିରୁ ଏହାର ଅବସ୍ଥା ବେଜିଂ ପରି ସାଂଘାତିକ ହୋଇଯାଇଛି। ଚୀନ୍ ତା’ର କଠୋର ଜିରୋ କୋଭିଡ୍ ନୀତିକୁ ହଠାତ୍ ଉଠାଇ ଦେବାରୁ ପ୍ରଥମେ ରାଜଧାନୀ ବେଜିଂରେ ସଂକ୍ରମଣ ବ୍ୟାପକ ହେଲା। ସରକାରୀ ବିଭାଗ ଓ କାରଖାନାଗୁଡ଼ିକରେ କର୍ମଚାରୀମାନେ ସଂକ୍ରମିତ ହେଲେ। ପରେ ତାହା ସଂଘାଇକୁ ବ୍ୟାପିଛି। ଚୀନ୍‌ରେ ଜାନୁଆରିରେ ଦୈନିକ ସଂକ୍ରମଣ ୧୦ ଲକ୍ଷ ଏବଂ ଦୈନିକ ମୃତ୍ୟୁ ୫ ହଜାରରେ ପହଞ୍ଚିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରିଛନ୍ତି। ସେମାନେ କହିଛନ୍ତି ଯେ ଚୀନ୍‌ରେ ଏବେ ଦୁଇଟି ବଡ଼ ଲହର ଦେଖିବାକୁ ମିଳିବ- ଗୋଟିଏ ଜାନୁଆରିରେ ଓ ଆଉ ଗୋଟିଏ ମାର୍ଚ୍ଚରେ। ଏହାର ମୁକାବିଲା ପାଇଁ ଦେଶର ସମସ୍ତ ପ୍ରମୁଖ ସହରରେ ଯୁଦ୍ଧସ୍ତରରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ହେଉଛି ଏବଂ ଲୋକଙ୍କୁ କଡ଼ା କଟକଣା ଭିତରେ ରଖାଯାଇଛି।